ଭଞ୍ଜନଗର, ୧୬/୦୮(ପିପିଟି)ଭଞ୍ଜନଗର ଜେଲ ପଡ଼ିଆ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ସକାଳ ୯ଟା ୧୫ମିନିଟ ସମୟରେ ମୁଖ୍ୟ ଅତିଥି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ମୁଖ୍ୟ ଅତିଥି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ଅମର ଶହୀଦମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଘୁମୁସର ମାଟି ଓଡିଶା ପାଇଁ ଗର୍ବ ଓ ଗୌରବ।ଏଠାରୁ ଦୋହରା ବିଷୋୟୀ ଓ ଚକରା ବିଷୋୟୀ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଥିଲେ।ତେଣୁ ଏହି ମାଟି ଧନ୍ୟ। ଧୀରେ ଧୀରେ ଆମ ଗଣତନ୍ତ୍ର ଶାସନ ପ୍ରକ୍ରିୟାରେ ସୁଦୃଢ଼ ହେବାରେ ଲାଗିଛି। ଦେଶ ଆଜି କୃଷି, ଶିଳ୍ପ, ବିଜ୍ଞାନ, ଗବେଷଣା, ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଆତ୍ମ ନିର୍ଭରଶୀଳ ହୋଇପାରିଛି।ସାରା ବିଶ୍ୱରେ ଭାରତ ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛି ବୋଲି ନିଜ ଅଭିଭାଷଣରେ କହିଥିଲେ। ଏହାପରେ ୨୧ଟି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହାପରେ ଭଞ୍ଜନଗର ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ ପରେ ଚିଦାନନ୍ଦ କୁଷ୍ଠାଶ୍ରମରେ ଅନ୍ତେବାସୀଙ୍କୁ ଉପଜିଲ୍ଲାପାଳ ମିଷ୍ଠାନ୍ନ ପ୍ରଦାନ କରିଥିଲେ।ଏଥିରେ ବିଭିନ୍ନ ସରକାରୀ ଅଧିକାରୀ, ପୁଲିସ କର୍ମଚାରୀ, ଅଗ୍ନିଶମ ବିଭାଗ ଓ ଅନ୍ୟମାନେ ସହଯୋଗ କରିଥିଲେ।ସେହିପରି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନରେ ମଧ୍ୟ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି।
ରିପୋର୍ଟ-ଜେ କେ ପଟ୍ଟନାୟକ