ଭଞ୍ଜନଗର,୧୫/୦୮(ପିପିଟି); ଭଞ୍ଜନଗର ଜେଲ ପଡ଼ିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭଗ ତରଫରୁ ୭୫ତମ ସ୍ୱାଧୀନତା ଦିବସ କୋଭିଡ ନିୟମାବଳି ମଧ୍ୟରେ ପାଳିତ ହେଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାହ୍ନ ୯ଟା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣ ରେ ଘୁମୁସର ପ୍ରଗତି ପଥରେ ପାଦ ଥାପିବା ସହ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟ ଅତିଥି କହିଥିଲେ। କୋଭିଡ ଯୋଦ୍ଧାଙ୍କ ନିସ୍ଵାର୍ଥପର ସେବା ମନ ଭାବକୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ କୋଭିଡ କାଳରେ ଉନ୍ନତ ସେବା ଯୋଗାଇ ଥିବାରୁ କରୋନା ମୁକାବିଲା ସମ୍ଭବ ହେଲା ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ୧୧ଜଣ କୋଭିଡ ଯୋଦ୍ଧାଙ୍କୁ ନିଜ ଅବଦାନ ପାଇଁ ମୁଖ୍ୟ ଅତିଥି ମାନ ପତ୍ର ଦେଇ ସମ୍ମାନିତ କରିଥିଲେ । କୋଭିଡ ଯୋଦ୍ଧା ଭାବେ ଉପଖଣ୍ଡ ଚିକିତ୍ସାଳୟର ହସ୍ପିଟାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ,ଷ୍ଟାଫ ନର୍ସ ଆରତୀ ବେହେରା, ଆଟେଣ୍ଡାଟ ଅରକ୍ଷିତ ପାତ୍ର, ନିର୍ମଳ ସୁପରଭାଇଜର ଅଜିତ କୁମାର ପାତ୍ର, ସିକ୍ଯୁରିଟି ସୁପରଭାଇଜର ବନେଶ୍ୱର ଜେନା, ଦଦରଲୁଣ୍ଡା ସେକ୍ଟର ପଇତ ଗାଁ ଅଙ୍ଗନୱାଡି ୱାର୍କର ନମିତା ସେଠୀ, ଡିହପଡାଳ ସେକ୍ଟରର ଅଙ୍ଗନବାଡି ୱାର୍କର ସାନ୍ଧ୍ୟରାଣୀ ଦଳେଇ, ଜିଲୁଣ୍ଡି ସେକ୍ଟରର ଅଙ୍ଗନବାଡି ୱାର୍କର ଜୟମାଳା ମିଶ୍ର, ଏବଂ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀ ରଂଜିତ ନାୟକ, ରବି କୁମାର ନାୟକ, ଜଗମୋହନ ପାତ୍ରଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ନେପାଳ ରେ ଅନୁଷ୍ଠିତ ହେଇଥିବା କବାଡି ପ୍ରତିଯୋଗିତାରେ ଭଞ୍ଜନଗରର ଦୁଇ ଜଣ ଯୁବ କ୍ରୀଡ଼ାବିତ ଭାରତୀୟ ଦଳରେ ସାମିଲ ହେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା କୁମାର ଅବିନାଶ ଏବଂ ରାଜା ନାୟକକୁ ଭାରତୀ ଭଣ୍ଡାର ଏବଂ ତୋଫାନ ବସ୍ତ୍ରାଳୟର ମିଳିତ ସହଯୋଗରେ ସମ୍ମାନିତ କରାଯାଇଥିଲା। ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ମୁଖ୍ୟ ଅତିଥି ଏବଂ ଅନ୍ୟ ଆମନ୍ତ୍ରିତ ଅତିଥି ଭଞ୍ଜନଗର କିରାଣୀ ବ୍ୟବସାୟୀ ସଂଘ ସହଯୋଗରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ଅନ୍ତେ ବାସୀଙ୍କୁ ଫଳ ବଣ୍ଟନ କରିଥିଲେ । ବଡକୋଦଣ୍ଡା ସ୍ଥିତ କୁଷ୍ଠା ଶ୍ରମରେ ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ ସହ ବୃକ୍ଷରୋପଣ ଏବଂ ଜଗନ୍ନାଥ ଜୁଏଲର୍ସ ତରଫରୁ ଅନ୍ତେବାସୀଙ୍କ ପାଇଁ ଏକ୍ୱାଗାର୍ଡ ର ଶୁଭାରମ୍ଭ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ କରିଥିଲେ। ଶେଷରେ ଚକରା ବିଷୋୟୀ ପ୍ରତିମୂର୍ତ୍ତି ନିକଟରେ ସମସ୍ତ ଅତିଥି ବୃକ୍ଷ ରୋପଣ କରିଥିଲେ। ଏହି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଜଳସେଚନ ବିଭାଗର ବରିଷ୍ଠ ନିର୍ବାହୀ ଯନ୍ତ୍ରୀ ଗୋକୁଳ ଚନ୍ଦ୍ର ପାଢ଼ୀ, ସମେତ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଅଗ୍ନିଶମ ବିଭାଗ, ମେଡିକାଲ ଟିମ, ବୁଦ୍ଧିଜୀବୀ, ସମାଜସେବୀ, ଅନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ଛାପା ଓ ବୈଦୁତିକ ଗଣ ମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ସଂଗଠନର ମୁଖ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )