ଭଞ୍ଜନଗର,୨୧/୧୨(ପିପିଟି): ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଗୁଡିକରେ ହୃଦକମ୍ପନ ସୃଷ୍ଟି ହେବାରେ ଲାଗିଛି। ନିଜ ଦଳକୁ ନେତା ଓ କର୍ମୀମାନଙ୍କୁ ଆକୃଷ୍ଟ କରି ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ସମସ୍ତେ ଆଶା ରଖିଛନ୍ତି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ କଂଗ୍ରେସ ଦଳରେ ସକ୍ରିୟ ଥିବା ଯୁବନେତା ଅଯୋଧ୍ୟା ନାଥ ମହାପାତ୍ର(ଗତି) ମଙ୍ଗଳବାର ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଜେଲ ପଡ଼ିଆ ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ମହାମିଶ୍ରଣ ପର୍ବରେ ବିଭିନ୍ନ ପଞ୍ଚାୟତର ୧୨ଶହରୁ ଉର୍ଦ୍ଧ୍ବ କର୍ମୀଙ୍କ ସହ ଯୋଗ ଦେଇଛନ୍ତି। ଯାହାକୁ ନେଇ ବିଜେପି ଦଳରେ ନୂତନ ଆଶାର ସଞ୍ଚାର ସୃଷ୍ଟି ହୋଇଛି।ତାଙ୍କୁ ବିଜେପିର ନେତୃବୃନ୍ଦ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକ,ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର,ଉପସଭାପତି ଅନିତା ଶୁଭଦର୍ଶିନୀ,ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ,ପୂର୍ବତନ ବିଧାୟକ ପ୍ରାର୍ଥୀ ପଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ, ନୀଳ ମାଧବ ପାତ୍ର,ସନ୍ତୋଷ ତିଆଡ଼ି ଓ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି ନେତୃବୃନ୍ଦ ଗର୍ଜିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଅବଗତ କରିଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପ୍ରବଳ ଜନ ସମର୍ଥନ ଯୋଗାଇ ଦଳକୁ ବିଜୟୀ କରିବାକୁ ବକ୍ତାମାନେ କହିଥିଲେ।କଂଗ୍ରେସ ଦଳ ତାର ପୂର୍ବ ସତ୍ତା ହରାଇଥିବା ବେଳେ ଦଳୀୟ ସଙ୍ଗଠନ ଦୁର୍ବଳ ହୋଇ ପଡିଥବାରୁ ବିଜେପିରେ ସାମିଲ ହୋଇଥିବା ଗତିଭାଇ ନିଜ ପ୍ରତିକ୍ରିୟାରେ କହିଥିଲେ। ବିଭିନ୍ନ ପଞ୍ଚାୟତର ବହୁ ସରପଞ୍ଚ, ସମିତି ସଭ୍ୟ ସମେତ ପ୍ରାୟ ୪ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାକର୍ମୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )