ଭଞ୍ଜନଗର,୧୫/୦୯(ପିପିଟି):ଭଞ୍ଜନଗର ସ୍ଥିତ ଜଳସମ୍ପଦ ବିଭାଗ ଡାକ ବଙ୍ଗଳା ପରିସରରେ ଆଜି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଜିଲ୍ଲା ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବୈଠକର ସଭାପତିତ୍ୱ କରିଥିଲେ। ଏଥିସହ କିପରି ଆଗାମୀ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ କେନ୍ଦ୍ର ସରକାର ଦେଉଥିବା ମିଥ୍ୟା ପ୍ରତିଶ୍ରୁତିର ଜବାବ ଦେବାପାଇଁ ବିଜେଡିର ସମସ୍ତ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। କାଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ତ୍ତବିଭଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଦେବୀ ପ୍ରସାଦ ମିଶ୍ର, ସାନଖେମୁଣ୍ଡି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଗଞ୍ଜାମ ଜିଲ୍ଲାର ୮ ଜଣ ବିଧାୟକ ବିଧାୟିକା, କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ , ଆସ୍କା ସାଂସଦ ପ୍ରମିଳା ବିଷୋୟୀ , ପୂର୍ବତନ ବିଧାୟକ ଓ ଏମପି,୬୪ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା,ଜିଲ୍ଲା କାଯ୍ୟକାରିଣୀ ସଦସ୍ୟ,ବିଜୁ ଜନତା ଦଳର ମହିଳା,ଯୁବ ଓ ଛାତ୍ର ସମେତ ଛାମୁଆ ସଂଗଠନର ମୁଖ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଅପାରଗତା,ଓଡିଶା ପ୍ରତି ବୈମାତୃକ ଭାବ ଓ ଦରଦାମ ବୃଦ୍ଧି କୁ ନେଇ ବିଜେଡ଼ି ନେତୃବୃନ୍ଦ ବର୍ଷିଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କିଭଳି ଗଞ୍ଜାମ ଜିଲ୍ଲାରେ ଦଳୀୟ ନେତୃବୃନ୍ଦଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ମାନେ ସଂଖ୍ୟା ଗରିଷ୍ଠତା ହାସଲ କରିବେ ସେସମ୍ପର୍କରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା । ଓଡିଶା ସରକାରଙ୍କ ଦ୍ୱାରା ଏବେ ସମସ୍ତ ସହରାଞ୍ଚଳରେ ଇଣ୍ଡୋର ଷ୍ଟାଡିଅମ କରାଯିବା ପଦକ୍ଷେପ ସ୍ୱାଗତ ଯୋଗ୍ୟ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ହିତଧାରୀଙ୍କୁ ଅନ୍ତର୍ଭୁକ୍ତ, ଓ ରାଜ୍ୟର ସମସ୍ତ ନିର୍ଵାଚନ ମଣ୍ଡଳୀରେ ଯୁବ ଓ ଛାତ୍ର ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ସହ ଦଳକୁ କିପରି ସୁଦୃଢ଼ କରାଯିବ ଏବଂ ଆଗାମୀ ନିର୍ବାଚନରେ କଥା କୁହା କପିଳା ବିଜେପି ସରକାରକୁ ଓଡ଼ିଶାବାସୀ ସଠିକ ଜବାବ ଦେବ ବୋଲି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ।ଗଞ୍ଜାମ ଜିଲ୍ଲା ହେଉଛି ବିଜେଡ଼ି ର ଗଡ଼ ତେଣୁ ଭୋଟର ମାନେ ଆଗାମୀ ନିର୍ବାଚନରେ ବିଜେଡ଼ିକୁ ନିଶ୍ଚୟ ବିଜୟୀ କରାଇବେ ବୋଲି ମନ୍ତ୍ରୀ ଆରୁଖ କହିଥିଲେ।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)