ଭଞ୍ଜନଗର,୧୯/୦୬(ପିପିଟି): ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ସାମ୍ବାଧାନିକ କ୍ଷେତ୍ରରେ ସର୍ବୋରଚ୍ଚ ଗାରୀମା ପଦ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ର୍ନିଦ୍ବନ୍ଦରେ ଆସନ ଅଳଙ୍କୃତ କରିଥିବାରୁ ଆଜି ଭଞ୍ଜନଗର ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜି ସକାଳ ସମୟରେ ସେ ଭଞ୍ଜନଗର ଗସ୍ତରେ ଆସିବା ସମୟରେ ପ୍ରଥମେ ଶରଣକୂଳ ଲଡୁବାବା ଦର୍ଶନ ସହ ଓଡଗାଁ ରଘୁନାଥ ସ୍ବାମୀଙ୍କ ଦର୍ଶନ ପରେ ଜଗନ୍ନାଥପ୍ରସାଦ ବ୍ଳକ୍ କୁମ୍ପାପଡା ଠାରେ ପହଞ୍ଚିଥିଲେ। ସେଠାରେ ରାସ୍ତାରେ ଥିବା ବିଭିନ୍ନ ଗାଁ ଛକ ଠାରେ ଶତାଧିକ ପୁରଷ ଓ ମହିଳା ପୁଷ୍ପମାଲ୍ୟ ଓ ଫୁଲତୋଡା ନେଇ ଘଣ୍ଟ କିର୍ତ୍ତନ ସହ ଅପେକ୍ଷା କରିଥିଲେ। ଶ୍ରୀ ଆରୁଖ ବିଭିନ୍ନ ଛକ ଠାରେ ଓହ୍ଲାଇବା ପରେ ତାଙ୍କୁ ସମ୍ବର୍ଦ୍ଧିନା ଦିଆଯାଉଥିଲା। ବିଭିନ୍ନ ସ୍ଥାନରେ ଶୁଭେଚ୍ଛା ଜଣାଇ ସୁଉଚ୍ଚ ତୋରଣ ତିଆରି କରାଯାଇଥିଲା ।ଭଞ୍ଜନଗରରେ ପହଞ୍ଚିବା ପରେ ବେଲଗୁଣ୍ଠା ରୋଡ ଠାରୁ ପାଛୋଟି ଆଣି ଉତ୍କଳମଣି ଗୋପବନ୍ଧୁ ଦାସ ଓ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସଂନ୍ଧ୍ୟାରେ ବଳଭଦ୍ର ଆରୁଖ କୃଷକ ବଜାର ପଡିଆ ଠାରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ସହରର ବିଭିନ୍ନ ସଂଗଠନ, ଅନୁଷ୍ଠାନ,ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ନାଗରିକ ମଞ୍ଚ,କେଏସ୍ୟୁବି ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ, ବିଶ୍ବ ଜନନୀ କଳା ପରିଷଦ,ପ୍ରେସ୍ କ୍ଳବ୍,ରୋଟାରୀ କ୍ଳବ୍,ବିଡେକା, ଘରୋଇ ବସ୍ ମାଲିକ ସଂଘ, ଅଲ୍ଓଷ୍ଟା,ବଣିକ ସଂଘ,ଚାମ୍ବର ଅଫ୍ କମର୍ସ,ଅଟୋ ଚାଳକ ସଂଘ, ସାଇଗୁରୁକୁଳ ବିଦ୍ୟାଳୟ,ଅବସର ପ୍ରାପ୍ତ କର୍ମଚାରୀ ସଂଘ,କଳା ଓ ସଂସ୍କୃତି ସଂଘ ସମେତ ଭଞ୍ଜନଗର ଏନ୍ଏସି, କାଉନ୍ସିଲର,ସରପଞ୍ଚ,ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଶ୍ରୀ ଆରୁଖ ନିଜର ପ୍ରତିକ୍ରିୟାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସହର ଠାରୁ ଆରମ୍ଭ କରି ପ୍ରତ୍ୟୋକ ଅଞ୍ଚଳକୁ ଉନ୍ନତ ଅଞ୍ଚଳରେ ପରିଣତ କରିବା ରାଜନୈତିକ ଜୀବନର ସାର୍ଥକତା ବୋଲି କହିଥିଲେ। ସରକାରୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିବାରୁ ଠାରୁ ଆରମ୍ଭ କରି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବା ପରେ ବର୍ତ୍ତମାନ ବାଚସ୍ପତି ହେବା ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିଥିବାରୁ ସେ କୃତଜ୍ଞତା ଜଣାଇଥିଲେ। ବିଧାନସଭା ପରିସରରେ ସମସ୍ତ ସଦସ୍ୟଙ୍କୁ ସମାନ ଗୁରୁତ୍ବ ଦେବା ସହ ଭାରତୀୟ ସମ୍ବିଧାନ,ଓଡ଼ିଶା ବିଧାନସଭା ପରିଚାଳନା ସହ ଆଇନର ସମ୍ମନ୍ବୟ ରଖିବା ବହୁତ ଜରୁରୀ ତାକୁ ସୂଚାରୁ ରୂପେ ସମ୍ପାଦନା କରିବାକୁ ସର୍ବଦା ଚେଷ୍ଠା କରିବି ବୋଲି କହିଥିଲେ। ଏଥିସହ ଭଞ୍ଜମାଟିର ସମ୍ମାନ ଓ ସ୍ବାଭିମାନ ରକ୍ଷା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବି ବୋଲି ନିଜ ବ୍ୟକ୍ତବ୍ୟରେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ସଂସାଦ ପ୍ରତିନିଧି ଦିବାକର ନାୟକ ପରିଚାଳନା କରଥିବା ବେଳେ ଏଥିରେ ନଗରପାଳ ଗୋପବନ୍ଧୁ ମହାପାତ୍ର, ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ, ପ୍ରାକ୍ତନ ଉପନଗରପାଳ ରାଜେନ୍ଦ୍ର ବିଶୋୟୀ,ଯୁବ ସଂଗଠକ ସୁଧୀର ରଞ୍ଜନ ବେହେରା,ପ୍ରେସ୍ କ୍ଳବ୍ ସଭାପତି ଲୋକନାଥ କର, ଶିକ୍ଷକ ସଙ୍ଗଠକ ରାଜ କୁମାର ସାହୁ,ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସମାଗମ ହୋଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )