ଭଞ୍ଜନଗର,୧୯/୦୯(ପିପିଟି): ଓଡିଶାର ବୃହତ ସଙ୍ଗଠନ ଉତ୍କଳ ସାମ୍ବାଦିକ ସଂଘର ନୂତନ ଶାଖା ଭଞ୍ଜନଗର ଠାରେ ଗଠନ କରାଯାଇଛି। ଏଥିରେ ଭଞ୍ଜନଗର ଅଞ୍ଚଳର ବହୁ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ଖବର ସଂଗ୍ରହକୁ ନେଇ ବିଭିନ୍ନ ଲୋକଙ୍କ ଆକ୍ରମଣର ଶିକାର ହୋଇ ମିଥ୍ୟା କେଶରେ ଛନ୍ଦି ହୋଇ ପଡୁଛନ୍ତି। ତେଣୁ ସମସ୍ତ ସାମ୍ବାଦିକ ସଙ୍ଗଠିତ ହୋଇ ପରସ୍ପରକୁ ସୁବିଧା ଅସୁବିଧାରେ ସାହାଯ୍ୟ କରିବା, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା,ସତ୍ୟ ଘଟଣା ସାମ୍ନାକୁ ଆଣିବା, ସମାଜରେ ଜନ ସଚେତନତା ସୃଷ୍ଟି କରିବା ଓ ଗରୀବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଭଳି ମହତ ଉଦ୍ଦେଶ୍ୟ ରଖି ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଏକାଠି ହୋଇଥିଲେ।ସଭା କାର୍ଯ୍ୟ ଆରମ୍ଭ ରେ ବର୍ଷିଆନ ସାମ୍ବାଦିକ, ଲେଖିକା, ସମ୍ପାଦିକା ସ୍ବର୍ଗତ ଡକ୍ଟର ମନୋରମା ମହାପାତ୍ରଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଜିଲ୍ଲା ସଙ୍ଗଠନର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର,ସମ୍ମାନିତ ଅତିଥି ରୂପେ, ସୋରଡ଼ା ବ୍ଲକ ସଭାପତି ରାଜେଶ କୁମାର ସାହୁ, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ଚନ୍ଦ୍ରକେତୁ ରାଉତ, ଭଞ୍ଜନଗର ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଓ ଆସ୍କାର ବରିଷ୍ଠ ସାମ୍ବାଦିକ ଅନୀଲ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ରହି ସଂଘର କାର୍ଯ୍ୟ ଓ ଉଦ୍ଦେଶ୍ୟ ଏବଂ ସମସ୍ତେ ନିଜ ନିଜ ଭିତରେ ଅନ୍ତର୍ଦ୍ୱନ୍ଦ ଭୁଲି ଏକାଠି ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଏହାପରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ଉପ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, କୋଷାଧ୍ୟକ୍ଷ ଭବାନୀ କୁମାର ପାଳ, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା, ବ୍ଲକ ସଂଯୋଜକ ନଚିକେତ ପ୍ରଧାନ ଓ ଉପଦେଷ୍ଟା ଭାବେ ରବୀନ୍ଦ୍ର କୁମାର ପାତ୍ର ମନୋନୀତ ହୋଇଥିଲେ। ଆଗାମୀ ଦିନରେ ସଂଘ ସଠିକ ଖବର ପ୍ରକାଶକୁ ଗୁରୁତ୍ୱ ଦେବା ସହ ଲୋକମାନଙ୍କ ସମସ୍ୟା ଦୂର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ମନୋଜ ଗୌଡ଼, ସନ୍ତୋଷ ଜେନା, ଅରୁଣ ସ୍ୱାଇଁ,ଚିନ୍ମୟ ବେବର୍ତ୍ତା, ଶିବ ପ୍ରଧାନଙ୍କ ସମେତ ପ୍ରିଣ୍ଟ ମିଡ଼ିଆ, ଇଲେଟ୍ରୋନିକ ମିଡ଼ିଆ ଓ ୱେବ ମିଡ଼ିଆର ବହୁ ପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ।