ଭଞ୍ଜନଗର ଠାରେ କୋଭିଡ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଭଞ୍ଜନଗର,୩୧/୦୫(ପିପିଟି); ଜଙ୍ଗଲ,ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ଗଞ୍ଜାମ ଜିଲ୍ଲାର କୋଭିଡ ସ୍ଥିତି ସଂକ୍ରାନ୍ତରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସହ ଆଲୋଚନା କରିଥିଲେ। କରୋନା ଚେନରେ ବ୍ରେକ ଲଗେଇବାକୁ ସରକାର ଲକ ଡାଉନ ଏବଂ ସଟ ଡାଉନ ନିୟମକୁ ଆସନ୍ତା ଜୁନ ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ସଂକ୍ରମଣ ହାର ନିଶ୍ଚୟ ହ୍ରାସ ପାଇବ ବୋଲି ଉଭୟ ମନ୍ତ୍ରୀ ଏବଂ ଜିଲ୍ଲାପାଳ ଆଶାବାଦୀ ଅଛନ୍ତି। ମେଡିକାଲକୁ ଆସୁଥିବା ସନ୍ଦିଗ୍ଧଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବା ସହ ଉତ୍ତମ ସେବା ଯୋଗେଇ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା କୋଭିଡ ସଚେତନତା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅଧିକ କରିବାକୁ କହିଥିଲେ। କୋଭିଡ଼ ପରିଚାଳନାରେ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉତ୍ତମ କାର୍ଯ୍ୟ ଜାରି ରଖିଥିବାରୁ ଉଭୟ ଜିଲ୍ଲାପାଳ ଏବଂ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତାକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ଅଧୁରା ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ସାରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବାକୁ କହିଥିଲେ। ସରକାରୀ ଯୋଜନା ଗୁଡିକ କିପରି ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ସହଜରେ ପହଞ୍ଚି ପାରିବ ତାହା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଆଜି ଭଞ୍ଜନଗର ସ୍ଥିତ ଜଳସେଚନ ବିଭାଗ ଡାକ ବଙ୍ଗଳା ଅନୁଷ୍ଠିତ ବୈଠକରେ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ବିଡ଼ିଓ ଅନିଲ କୁମାର ସେଠୀ ଉପସ୍ଥିତ ଥିଲେ। କୋଭିଡ ସଂକ୍ରମଣକୁ ରୋକିବାକୁ ହେଲେ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ସଠିକ ଭାବେ ପାଳନ କରିବାକୁ ପଡିବ ଏବଂ ସମସ୍ତ ଜନସାଧାରଣ ଏହି କୋଭିଡ ବିରୁଦ୍ଧ ଲଢେଇରେ ଉଭୟ ସରକାର ଏବଂ ପ୍ରଶାସନଙ୍କୁ ସହଯୋଗ କରିବାକୁ ମାନ୍ୟବର ମନ୍ତ୍ରୀ ଅନୁରୋଧ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment