ଭଞ୍ଜନଗର,୨୨/୦୪(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଭଞ୍ଜନଗର ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। କିପରି କୋଭିଡ୍ ର ଦ୍ୱିତୀୟ ଲହରକୁ ବ୍ୟାପିବାରେ ରୋକ ଲଗାଯାଇ ପାରିବ ସେଥି ନିମନ୍ତେ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ପଞ୍ଚସୂତ୍ର ନିୟମ କଠୋର ଭାବେ ପାଳନ ଓ ଜନଗହଳି ସ୍ଥାନଗୁଡିକ ପ୍ରତି ବିଶେଷ ନଜର ରଖିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।ଏହାଛଡା ମାସ୍କ ଚେକିଂ କୁ ଜୋରଦାର କରିବାକୁ କହିଛନ୍ତି। ଭଞ୍ଜନଗର ଏନ୍ଏସି ଅଞ୍ଚଳରେ ସ୍ୱଚ୍ଛତା କୁ ଗୁରୁତ୍ୱ ଦେବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲାପାଳ ୟୁବି ହାଇସ୍କୁଲ ରେ ଥିବା ଡିସିସି ଏବଂ ଉପଖଣ୍ଡ ଡାକ୍ତରଖାନା ରେ ଥିବା କୋଭିଡ ଆଇସୋଲେସନ ସେଣ୍ଟର ବୁଲି ଦେଖିଥିଲେ। ଡିସିସି ସେଣ୍ଟର ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦିଆଯାଇଛି। ସମସ୍ତେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ କିପରି କୋଭିଡ ର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବା ଏବଂ ଜନସାଧାରଣ ଏହି ଘଡିସନ୍ଧି ମୁହୂର୍ତ୍ତରେ ସହଯୋଗ କରି ସମସ୍ତ କୋଭିଡ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡିଓ ଅନିଲ କୁମାର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ମେଡିକାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର ଏବଂ ହସ୍ପିଟାଲ ମ୍ୟାନେଜର ବିଚିତ୍ରାନନ୍ଦ ପାଣିଗ୍ରାହୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )