ଭଞ୍ଜନଗର,୦୫/୦୫(ପିପିଟି): ରାଜ୍ୟରେ ଖବରକାଗଜ ବିତରକମାନଙ୍କୁ ସେମାନଙ୍କ ହକ ଦେବା ଓ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ।ଗତ ବର୍ଷ ଡିସେମ୍ବର ୨୩ତାରିଖରେ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିଥିଲେ । ପଞ୍ଜିକୃତ କରାଯାଇଥିବା ଭଞ୍ଜନଗରର ସମସ୍ତ ଖବର କାଗଜ ବିତରକମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପୂର୍ବକ ପ୍ରତ୍ୟେକଙ୍କ ଜମାଖାତାକୁ ୬ହଜାର ଟଙ୍କା ଲେଖାଏଁ ପଠାଯାଇଥିଲା ।ଏହା ସହିତ ସେମାନଙ୍କୁ ଅଣସଂଗଠିତ ଶ୍ରମିକ ତାଲିକାରେ ସାମିଲ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟଅତିଥି ରୂପେ ଯୋଗଦେଇ ଖବରକାଗଜ ବିତରକମାନଙ୍କୁ ପରିଚୟପତ୍ର ବଣ୍ଟନ କରିଥିଲେ । ଏଥିରେ ବି.ଡ଼ି.ଓ. ଅନିଲ କୁମାର ସେଠୀ, ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ କୁମାର ସାହୁ, ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଖବରକାଗଜ ବିତରକ ସଂଘର ସଭାପତି ରବୀନ୍ଦ୍ର କୁମାର ପ୍ରଧାନ ଓ ମନୋଜ କୁମାର କର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ବିଭାଗୀୟ ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର ସମେତ ବହୁ ସାମ୍ବାଦିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )