ଭଞ୍ଜନଗର ଆର ଏମ ସି ପକ୍ଷରୁ କୃଷକ ପ୍ରଚାର ରଥ ଶୁଭାରମ୍ଭ।

ଭଞ୍ଜନଗର, ୧୨/୧୨(ପିପିଟି):ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆସନ୍ତା ଡିସେମ୍ବର ୨୩ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏଁ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରାଜସ୍ବ ଉପଖଣ୍ଡରେ ମଧ୍ୟ ବିଭିନ୍ନ ମଣ୍ଡିରେ ଖରିଫ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରା‌ଯିବ। ଚଳିତ ବର୍ଷ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନକିଣା ଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଗୁରୁବାର ଏନେଇ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ କୃଷକ ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତକା ଦେଖାଇ ଦୁଇଟି ରଥକୁ ଶୁଭାରମ୍ଭ କରିଛନ୍ତି। ଉକ୍ତ ପ୍ରଚାର ରଥ ଗୁଡ଼ିକ ଆଜି ଠାରୁ ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରି ଚଳିତ ବର୍ଷର ଧାନ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ। ଏହାସହ ଚାଷୀ ଯେପରି ମଣ୍ଡିକୁ ଖାଦ୍ୟ ଉପଯୋଗୀ,ଶୁଖିଲା,ପରିସ୍କାର,ସମରଙ୍ଗୀ,ସମଆକାର,ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଆଣିବା ନେଇ ସଚେତନ କରିବ। ଏଥିସହ ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନପୁଟ୍ ସହାୟତା ମିଶାଇ ୩୧ଶହ ଟଙ୍କା ପାଇବେ ସେନେଇ ପ୍ରଚାର ମାଧ୍ୟମରେ ଅବଗତ କରଯିବ। ଚାଷୀ ସରକାରଙ୍କ ନିକଟରେ ପଞ୍ଜିକୃତ କରିଥିବା ମୋବାଇଲ ନମ୍ବର ରେ ଧାନ ବିକ୍ରି ସମ୍ବନ୍ଧରେ ତଥ୍ୟ ପାଇବେ। ଏଥିସହ ଚାଷୀମାନେ ଟୋଲ ଫ୍ରି ନମ୍ବର ୧୯୬୭ କୁ କଲ୍ କରି ସମସ୍ତ ତଥ୍ୟ ହାସଲ କରିପାରିବେ। ଆଗାମୀ ଦିନରେ ଉପଖଣ୍ଡର ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା,ବୁଗୁଡ଼ା, ଆସିକା ,ସୋରଡ଼ା,ଶେରଗଡ଼,ଧରାକୋଟ,ଭଞ୍ଜନଗର ବ୍ଲକରେ କୃଷକ ପ୍ରଚାର ରଥ ମାଧ୍ୟମରେ ଚାଷୀଙ୍କୁ ଏଫ୍ଏକ୍ୟୁ ଧାନ କିଣା ବାବଦରେ ସଚେତନତା କରାଯିବ ବୋଲି ଆରଏମସି ସଂପାଦକ ସୁମନ୍ତ କୁମାର ସାହୁ କହିଛନ୍ତି। ପ୍ରଚାର ରଥ ଶୁଭାରମ୍ଭ ସମୟରେ ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment