ବ୍ରହ୍ମପୁର,୧୩/୧୦(ପିପିଟି):ଭଞ୍ଜନଗର ଅଞ୍ଚଳର ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ ଯାଞ୍ଚ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଦାବି ଜଣାଇଛନ୍ତି। ଭଞ୍ଜନଗର ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂପର୍କେ ସୂଚନା ତଥ୍ଯ ଡିଇଓ କାର୍ଯ୍ଯାଳୟକୁ ମଗାଯାଇଥିଲା। ଡିଇଓ କାର୍ଯ୍ଯାଳୟ ୬(୩)ରେ ବିଇଓ କାର୍ଯ୍ଯାଳୟକୁ ସୂଚନା ତଥ୍ଯ ପ୍ରଦାନ ପାଇଁ ପଠାଇଥିଲେ ମଧ୍ଯ ବିଇଓ କାର୍ଯ୍ଯାଳୟ ସୂଚନା ତଥ୍ଯ ସଠିକ ସମୟରେ ପ୍ରଦାନ କଲେ ନାହିଁ। ପୁଣି ଡିଇଓ କାର୍ଯ୍ଯାଳୟରେ ପ୍ରଥମ ଅପିଲ୍ ହେବାପରେ ଡିଇଓ କାର୍ଯ୍ଯାଳୟ ଭଞ୍ଜନଗର ବିଇଓ କାର୍ଯ୍ଯାଳୟକୁ ସୂଚନା ତଥ୍ଯ ପ୍ରଦାନ ପାଇଁ ଚିଠି କରିଥିଲେ ମଧ୍ଯ ବିଇଓ କାର୍ଯ୍ଯାଳୟ ସୂଚନା ତଥ୍ଯ ପ୍ରଦାନ କରିନାହାଁନ୍ତି। ଡିଇଓ କାର୍ଯ୍ଯାଳୟର ଆଦେଶକୁ ଭଞ୍ଜନଗର ବିଇଓ ଖାତିରି କରୁ ନାହାଁନ୍ତି। ସୂଚନା ଆଇନକୁ ମାନୁ ନାହାଁନ୍ତି। ଯଦ୍ବାରା ଭଞ୍ଜନଗର ଅଞ୍ଚଳରେ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଲ୍ ଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସାର୍ଟିଫିକେଟ ଯାଞ୍ଚ ପାଇଁ ସାମାଜିକ କର୍ମୀ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ,ବିଦ୍ଯାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ,ଶିକ୍ଷା ସଚିବ, ମୁଖ୍ଯ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳ, ଡିଇଓ, ଏସପି ଭିଜିଲାନ୍ସ,ବ୍ରହ୍ମପୁର ଓ କ୍ରାଇମବ୍ରାଞ୍ଚଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଏହା ପୂର୍ବରୁ ଭଞ୍ଜନଗର ବିଇଓ ଦୀର୍ଘ ଦିନ ଧରି ସେଠାରେ ରହିବା ଓ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେଉଥିବା ଘଟଣାକୁ ନେଇ ତଦନ୍ତ ଓ ବଦଳି ପାଇଁ ଦାବି କରାଯାଇଛି।