ଭଞ୍ଜନଗରରେ ବିଜେପିର ବିଜୟ ଉତ୍ସବ ପାଳନ; ରାସ୍ତାସାରା ସାଂସଦ ଓ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ।

ଭଞ୍ଜନଗର, ୧୭/୦୬(ପିପିଟି):ଚଳିତ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ବିଜୟଲାଭ କରିଛନ୍ତି।ଗତ ୨୯ବର୍ଷ ଧରି ଏହି ଆସନ ବିଜେଡ଼ି ଦଖଲରେ ଥିଲା।ତେଣୁ ଏହି ବିଜୟରେ ବିଜେପି ନେତା ଓ କର୍ମୀମାନେ ବେଶ ଉତ୍ସାହିତ ଅଛନ୍ତି। ଏହି ଅବସରରେ ଆଜି ଅପରାହ୍ନରେ ବିଜେପି ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ବିଜୟ ଉତ୍ସବ ପାଳନ କରାଯାଇଛି।ଜିଲୁଣ୍ଡି ପଞ୍ଚାୟତ କଇଣ୍ଡି ହନୁମାନ ମନ୍ଦିର ସମ୍ନାରୁ ଏକ ବିରାଟ ଶୋଭାଯାତ୍ରାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ହଜାର ହଜାର କର୍ମୀଙ୍କ ଗହଣରେ ବାହାରିଥିଲେ।ଜିଲୁଣ୍ଡି, ବାଉଁଶ ଲୁଣ୍ଡି, ଭଞ୍ଜନଗର ମେନ ରୋଡ଼,ବସ ଷ୍ଟାଣ୍ଡ, ବ୍ଲକ ଛକ,ଭେଜିପୁଟ, ନୂଆ ସାହି, ଚକରା ବିଷୋୟୀ ଛକ ଦେଇ ସେଠାରୁ ଫେରି ଷ୍ଟେଟ ବ୍ୟାଙ୍କ ଛକ, ଖାଲା ସାହି ପୁଣି ଥରେ ମେନରୋଡ଼ ଦେଇ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଶେଷ ହୋଇଥିଲା।ଏହି ସମୟରେ ସହରରେ ଥିବା ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତିରେ ଉଭୟ ନେତା ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ବିଭିନ୍ନ ଆତସବାଜିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।ରାସ୍ତାସାରା ବିଭିନ୍ନ ଛକ ଓ ୱାର୍ଡରେ ବହୁ ଶୁଭେଛୁ ଓ ପ୍ରଶଂସକ ବିଧାୟକ ଶ୍ରୀ ନାୟକ ଓ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଜେଲ ପଡ଼ିଆ ଠାରେ ଆୟୋଜିତ ସାଧାରଣ ସଭାରେ ଉଭୟ ନେତା ଯୋଗ ଦେଇ ସେଠାରେ ନିଜ ସମର୍ଥକମାନଙ୍କୁ ଏହି ସଫଳତା ପାଇଁ କୃତଜ୍ଞତା ଜଣାଇବା ସହ ସମ୍ବୋଧିତ କରିଥିଲେ।ଏହି ଅବସରରେ ଦଳୀୟ ସଂଗଠକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକର ସମସ୍ତ ବିଜେପି ସରପଞ୍ଚ, ସମିତି ସଭ୍ୟ, ନେତା କର୍ମୀ ଏଥିରେ ସାମିଲ ହୋଇଥିଲେ।
(ଜେ. କେ ପଟ୍ଟନାୟକ)

Comments (0)
Add Comment