ଭଉଣୀର ପ୍ରେମିକଙ୍କୁ ହତ୍ୟା ଘଟଣାରେ ୪ ଗିରଫ,ପୋଲିସର ତଦନ୍ତ ଜାରି ।

ଦୋବଲ,୧୪।୧୧: ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉତ୍ତେଇପୁର ଗାଁ ମଧୁସ୍ମିତା ପାତ୍ର, ତାଙ୍କ ସ୍ବାମୀ ମଦନ ପାତ୍ର,ମଧୁସ୍ମିତାଙ୍କ ଭଉଣୀ ଜ୍ବାଇଁ ତଥା ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଞ୍ଚାୟତ ବଇଁଚା ଗାଁର ପ୍ରଶାନ୍ତ ବେହେରା ଓ ରମାକାନ୍ତ ବେହେରା। ଏହାସହ ମୃତ ସଞ୍ଜୟ ରାଉତଙ୍କ ସାନ ଭାଇ ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଞ୍ଚାୟତ କଣ୍ଡିଆସାହିର ରାଜେନ୍ଦ୍ର ରାଉତଙ୍କ ଧାମନଗର ଥାନା ଏତଲା ଆଧାରରେ କେଶ ନମ୍ବର ୪୩୦ରେ ମାମଲା ରୁଜୁ ସହ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩ (୧) ଓ ୩(୫)ରେ ଦଫା ଲଗାଇଛି। ଏହାପରେ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି ଧାମନଗର ଥାନା ପୋଲିସ ଟିମ୍। ସିନ୍ ରିକ୍ରିଏସନ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଉତ୍ତେଇପୁରର ଏଭଳି ଏକ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି। ମାର୍ଗଶୀର ମାସ ଗୁରୁବାରରେ ଜଣେ ମହିଳା ଏମିତି ଉଗ୍ର ଓ ରକ୍ତମୁଖା ହେବାକୁ ନେଇ ଲୋକ ତୀବ୍ର ନିନ୍ଦା କରିଛନ୍ତି। ତା ସହିତ ସରକାରଙ୍କ ଆମ୍ବୁଲାନ୍ସ ସେବା ଓ ପୋଲିସର ତତ୍ପରତା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗୁରୁବାର ଅପରାହଣରେ ଏ ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକେ ସେଠାରେ ଉପସ୍ଥିତ ଥିଲେ। ବହୁ ଲୋକ ଥିଲେ ବି ମଧୁସ୍ମିତାଙ୍କ ହିଂସ୍ର ରୂପ ଦେଖି କେହି ସାହସ କରିନଥିଲେ ଘର ଭିତରକୁ ପଶିବାକୁ। ସମସ୍ତେ ଗାଁ ଦାଣ୍ଡରେ ଥିଲେ ବି କେହି ଘର ଭିତରେ ପଶି ସଞ୍ଜୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ। ତେବେ ପାଖ ଗାଁର ଯୁବକ ପ୍ରତାପ ବାରିକ ଓ ମୁନା ପତି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ସଞ୍ଜୟଙ୍କୁ ଡାକ୍ତରଖାନା ନେବା ଲାଗି ୧୧୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପ୍ରତାପ। ସେତେବେଳେ ଧାମନଗର ଥାନା କି ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିଲା। ତା ପରେ ସେମାନେ ଭଣ୍ଡାରିପୋଖରୀ ଓ ଧୁଷୁରୀ ଥାନାକୁ ଫୋନ୍ କରିଥିଲେ। ହେଲେ କେଉଁଠାରେ ୧୧୨ କି ୧୦୮ ଆମ୍ବୁଲାନ୍ସ ନଥିଲା। ଏମିତିକି ଧାମନଗର ପୋଲିସକୁ ଫୋନ୍ କରିବାରୁ ଥାନା ଗାଡ଼ି ଓ ପାଟ୍ରୋଲିଂ ଭେହିକିଲ ସହ ନଳାଙ୍ଗ ପାଖ ଜାତୀୟ ରାଜପଥରେ ଥିବା ଜଣାଇଥିଲେ। ଆମ୍ବୁଲାନ୍ସ ନ ମିଳିବା ଓ ପୋଲିସ ବିଳମ୍ବରେ ପହଞ୍ଚିବା ବେଳକୁ ସଞ୍ଜୟଙ୍କ ଅବସ୍ଥା ସଂଗୀନ ହୋଇ ପଡ଼ିଥିଲା।

ବିଳମ୍ବରେ ପହଞ୍ଚି ପୋଲିସ ସଞ୍ଜୟଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ପରେ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଆରମ୍ଭ ପୂର୍ବରୁ ଭଦ୍ରକରେ ସଞ୍ଜୟଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ସଞ୍ଜୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସଞ୍ଜୟଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଅପରାହଣରେ ଗାଁରେ ଶେଷ କୃତ୍ୟ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସଞ୍ଜୟ ରାଉତ ଓ ମଧୁସ୍ମିତାଙ୍କ ସାନ ଭଉଣୀ ରୀନାରାଣୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ହେଲେ ଦୁହେଁ ଭିନ୍ନ ଭିନ୍ନ ସ୍ଥାନରେ ବାହା ହୋଇଥିଲେ। ବିବାହ ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ରହିଥିଲା। ହେଲେ ଏଇ କିଛି ମାସ ହେଲା ଦୁହିଁଙ୍କ ସଂପର୍କରେ ଫାଟ ଆସିଥିଲା। ସଞ୍ଜୟ ରୀନାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରୀନାଙ୍କ ସହ ମିଶି ମଧୁସ୍ମିତା ଷଡ଼ଯନ୍ତ୍ର କରିଥିଲେ। ସଞ୍ଜୟଙ୍କୁ ପାନେ ଦେବାକୁ ଚିନ୍ତା କରିଥିଲେ।

ପୂର୍ବ ଯୋଜନା ମୁତାବକ ଗୁରୁବାର ଦିନ ରୀନାରାଣୀ ଫୋନ୍ କରି ସଞ୍ଜୟଙ୍କୁ ଉତ୍ତେଇପୁରରେ ଭଉଣୀଙ୍କ ଘରକୁ ଡାକିଥିଲେ। ପ୍ରେମିକାଙ୍କ ଫୋନ୍ ପାଇ ନିଜର କର୍ମସ୍ଥଳ ଅନୁଗୁଳରୁ ଛୁଟି ଆସିଥିଲେ ସଞ୍ଜୟ। ସଞ୍ଜୟ ପହଞ୍ଚିବା ପୂର୍ବରୁ ମଧୁସ୍ମିତାଙ୍କ ଘରେ ରୀନାଙ୍କ ସ୍ବାମୀ ପ୍ରଶାନ୍ତ, ତାଙ୍କ ବଡ଼ ଭାଇ ରମାକାନ୍ତ,ଭାଇ ପ୍ରିୟବ୍ରତ ବେହେରା ଓ ଅନ୍ୟ ଜଣେ ଆସି ଉପସ୍ଥିତ ଥିଲେ। ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ଗୋଟିଏ ଘରେ ପୂରାଇ ମଧୁସ୍ମିତା, ପ୍ରଶାନ୍ତ, ରମାକାନ୍ତ ଓ ଅନ୍ୟମାନେ ନିସ୍ତୁକ ମାଡ଼ ମାରିଥିଲେ। ସଞ୍ଜୟଙ୍କ ଯୌନାଙ୍ଗକୁ ମାରି ଫଟାଇ ଦେଇଥିଲେ। ରଡରେ ପିଟି ତାଙ୍କ ମୁଣ୍ଡ ଫଟାଇଥିଲେ ଓ ଆଖିପତାରେ ଛୁରି ଭୁଷି ଦେଇଥିଲେ। ଏହାସହ ଆଣ୍ଠୁ ତଳକୁ ପିଟି ଦୁଇ ଗୋଡ଼କୁ ଚୁନା କରିଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କ ପିନ୍ଧା ପୋଷାକ ଓହ୍ଲାଇ ଆଉ ଗୋଟିଏ ପୋଷାକ ମଧ୍ୟ ପିନ୍ଧାଇ ଦେଇଥିଲେ। ଏପରିକି ଜାଳିଦେବା ଲାଗି ପେଟ୍ରୋଲ ଢାଳି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

Comments (0)
Add Comment