ବୟସର ଅପରାହ୍ନରେ ଗଛ ମଣିଷ ; ଚନ୍ଦ୍ରମଣି ରାଉତ ।

ଯାଜପୁର,୧୭/୦୧(ପିପିଟି); ବୃକ୍ଷ ପ୍ରକୃତିର ଏକ ଅନବଦ୍ୟ ସୃଷ୍ଟି । ପରିବେଶ ସନ୍ତୁଳନ ଦିଗରେ ବୃକ୍ଷର ଭୂମିକା ଅତୁଳନୀୟ । ବୃକ୍ଷ ଦ୍ୱାରା ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଥାଏ । ମନୁଷ୍ୟ ଦୈନନ୍ଦିନ ଅମ୍ଳଜାନ ଗ୍ରହଣ କରିବା ସହିତ ଅଙ୍ଗାରକାମ୍ଳ ପରିତ୍ୟାଗ କରିଥାଏ । ମନୁଷ୍ୟ ଛାଡୁଥିବା ଅଙ୍ଗାରକାମ୍ଳକୁ ବୃକ୍ଷ ଗ୍ରହଣ କରିଥାଏ । ସେଥିପାଇଁ ମାନବ ସମାଜ ତିଷ୍ଠି ରହିବା ସମ୍ଭବପର ହୋଇପାରିଛି । ନଚେତ ଜୀବଜବତ ତିଷ୍ଠି ରହିବା ଅସମ୍ଭବ । ଏହାର ଗୁରୁତ୍ୱକୁ ଲକ୍ଷ୍ୟ କରି ରାଜରାଜୁଡା ଶାସନ କାଳରୁ ବିଭିନ୍ନ ସ୍ଥାନରେ ଫଳ ବଗିଚା ଓ ତୋଟା ସୃଷ୍ଟି କରାଯାଉଥିଲା । ପ୍ରଦୂଷଣ ଓ ପରିବେଷକୁ ସନ୍ତୁଳନ ରଖିବା ଦିଗରେ ବୃକ୍ଷର ଆବଶ୍ୟକତା ରହିଛି । ରାଜାଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଆମ୍ବ, ପିଜୁଳି, ପଣଷ, ଜାମୁ, ବେଲ, କଇଥ,ନଡିଆ ଆଦି ଅନେକ ଫଳ ବଗିଚା (ତୋଟା) ସୃଷ୍ଟି କରାଯାଇଥିଲା । ବଗିଚାର ଏହି ଫଳକୁ ଲୋକମାନେ ସଂଗ୍ରହ କରି ଖାଇବା ସହିତ ବିକି୍ରବଟା କରୁଥିଲେ । ଏଭଳି ବଗିଚା ଦ୍ୱାରା ପରିବେଷ ସନ୍ତୁଳିତ ରହିବା ସହ ଲୋକମାନେ ଏହା ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଲାଭବବାନ ହେଉଥିଲେ । ରାଜା ରାଜୋଡା ଶାସନ ସମୟରେ ବିଭିନ୍ନ ସ୍ଥାନରେ ଏଭଳି ଅନେକ ବଗିଚା ସୃଷ୍ଟି କରାଯାଉଥିଲା । ପରବର୍ତି ସମୟରେ ବିଭିନ୍ନ ପଂଚାୟତରେ ମଧ୍ୟ ତୋଟା ସୃଷ୍ଟି କରାଯାଇଥିଲା । ଏହି ତୋଟା ଗୁଡିକ ସୃଷ୍ଟି ହେବା ଫଳରେ ଲୋକମାନେ ବିଭିନ୍ନ କିସମର ଫଳ ଆହାର ଭାବେ ପାଇ ପାରୁଥିଲେ । ଏହି ତୋଟାର ଛାଇରେ ପଥୀକ ମାନେ ଥକାମେଂଟାଉଥିଲେ । ବିଭିନ୍ନ ପର୍ବପର୍ବାଣୀରେ ଏହି ତୋଟା ଗୁଡିକରେ ଜନସମାଗମ ହେଉଥିଲା । ଅନେକ ସମୟରେ ତୋଟାରେ ହାଟ ବସୁଥିଲା । ଇଂରେଜ ଶାସନ ବା ଗଡଜାତ ଆନ୍ଦୋଳନ ସମୟରେ ଏହି ତୋଟା ମାନଙ୍କରେ ଗୁପ୍ତ ବୈଠକ ମାନ ବସୁଥିଲା । ବର୍ତ୍ତମାନ ସେହି ସବୁ ତୋଟା ଗୁଡିକ କାଁ ଭାଁ ଦେଖିବାକୁ ମିଳୁଛି । ସେହି ସମୟରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ରାଜ ଶାସନ ଅମଳରେ ଏଭଳି ଅନେକ ବଗିଚା ସମେତ କୂଅ, ପୋଖରୀ, ଚଉପାଢୀ ଓ ଖମାର ତିଆରି କରାଯାଉଥିଲା । ରାଜାଙ୍କ ଦ୍ୱାରା କରାଯାଉଥିବା ଏସବୁ ଜନହିତକର କା୍ର୍ୟ୍ୟରେ ଅନେକ ପ୍ରଜା ନିୟୋଜିତ ହେଉଥିଲେ । ଏଭଳି ଜଣେ ପ୍ରଜା ହେଉଛନ୍ତି ମଧୁପୁର ଇଷ୍ଟେଟ ତଥା ଧର୍ମଶାଳା ବ୍ଲକ ଇମାମନଗର ଗ୍ରାମର ସ୍ୱର୍ଗତ ଗଜେନ୍ଦ୍ର ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ (୯୦) । ସେ ୧୪ ବର୍ଷ ବୟସରୁ ରାଜବାଟିରେ ପାଇକ ଭାବେ ନିୟୋଜିତ ହୋଇଥିଲେ । ତାଙ୍କ ସହିତ ଅନେକ ପ୍ରଜା ମଧ୍ୟ ପାଇକ ଭାବେ ନିଯୁକ୍ତି ପାଇଥିଲେ । ଏମାନଙ୍କ ମଧ୍ୟରେ ବାସ ଜେନା, ଚୈତନ୍ୟ ରାଉତ, ପାଣ୍ଡବ ପାଳ, ବୈଷ୍ଣବ ଜେନା, ଧନ୍ଦ ପାଳ, ଲକ୍ଷ୍ମୀଧର ଜେନା ଓ କୃତି ରାଉତ ସମେତ ବହୁ ପ୍ରଜା ପାଇକ ଭାବେ ନିୟୋଜିତ ହୋଇଥିଲେ । ଏମାନେ ରଜାବାଟୀର ସୁରକ୍ଷା ସହିତ ବିଭିନ୍ନ ଜନହିତକର କାମରେ ନିୟୋଜିତ ହେଉଥିଲେ । ମଧୁପୁରଗଡ ରାଜାଙ୍କ ନିଦେ୍ର୍ଦଶ କ୍ରମେ ଏମାନେ ଗଡମଧୁପୁର, ମଧୁବନ, କଲଣ, ପଦ୍ମପୁର, ଦନେଇପୁର, ବ୍ରାହ୍ମଣବାଡ, ଆଦି ସ୍ଥାନ ମାନଙ୍କରେ ବିଭିନ୍ନ କିସମର ଚାରା ରୋପଣ କରି ବଗିଚା ସୃଷ୍ଟି କରିଥିଲେ । ଏମାନଙ୍କ ମଧ୍ୟରୁ ଚନ୍ଦ୍ରମଣି ହେଉଛନ୍ତି ଅନ୍ୟତମ । ସେ ଏବେ ବୟସର ଅପରାହ୍ନରେ ଉପନିତ ହୋଇ ଘରେ ରହୁଛନ୍ତି । ସେ ଛାତ୍ର ବୟସରୁ ପାଇକ ଭାବେ ରାଜବାଟୀର ସୁରକ୍ଷା ସହିତ ବିଭିନ୍ନ ଜନହିତକର କାର୍ଯ୍ୟରେ ନିୟୋଜିତ ହେଉଥିଲେ । ମୁଖ୍ୟତଃ ବଗିଚା (ତୋଟା) ସୃଷ୍ଟି କରିବାରେ ତାଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ରହିଥିଲା । ବଗିଚା ସୃଷ୍ଟି ପାଇଁ ଚାରା ରୋପଣ କରିବା ସହିତ ଏହାର ସୁରକ୍ଷା ପାଇଁ ରାତି ଦିନ ସେଠାରେ ଜଗୁଆଳି ଭାବେ କାମ କରିବାକୁ ପଡୁଥିଲା । ରାଜାରାଜୋଡା ଶାସନ ସମାପ୍ତ ହେବା ପରେ ସେ ଖାଲି ପଡିଥିବା ନିଜର ପାଖାପାଖି ୧୦ ଏକର ଜମିରେ ଆମ୍ବ, ପଣଷ,କାଜୁ, ବେଲ, ଜାମୁ,ଗମାରୀ, ନଡିଆ, ସାଗୁଆନ,ତାଳ ଆଦି ଗଛରେ ବଗିଚା ସୃଷ୍ଟି କରିପାରିଛନ୍ତି । ଯେଉଁ ବଗିଚା ଏବେ ବିଭିନ୍ନ ପ୍ରକାର ଫଳମୁଳରେ ଭର୍ତି ହୋଇଯାଇଛି । ଲୋକମାନେ ଏହି ବଗିଚାକୁ ଆସି ବୁଲାବୁଲି କରିବା ସହିତ ଫଳ ଆହାର କରୁଛନ୍ତି । ଏହି ବଗିଚାରୁ ସେ ବିଭିନ୍ନ ଋତୁରେ ଫଳମୁଳ ସଂଗ୍ରହ କରି ବଜାରରେ ବିକି ବେଶ ଲାଭବାନ ହୋଇପାରିଛନ୍ତି । ସମୟକ୍ରମେ ରାଜାଙ୍କ ଅମଳ ପରେ ତୋଟା ଗୁଡିକ ଲୋପ ପାଇବାକୁ ବସିଲାଣି ହେଲେ ଚନ୍ଦ୍ରମଣି ନିଜ ବାଡିରେ ସୃଷ୍ଟି କରିଥିବା ତୋଟାରେ ଏବେବି ଅନେକ ପ୍ରକାର ଗଛ ରହିଛି । ବର୍ତ୍ତମାନ ଆଧୁନିକ ମଣିଷମାନେ ବିଭିନ୍ନ ସ୍ଥାନରେ ଥିବା ଗଛ ଗୁଡିକୁ କାଟି କଳକାରଖାନା ବସାଉଛନ୍ତି । ସେହିପରି ଅନେକ ଗୃହ ନିର୍ମାଣ ମଧ୍ୟ କରୁଛନ୍ତି । ଫଳରେ ପୂର୍ବରୁ ଥିବା ତୋଟା ଗୁଡିକ ଏବେ ତାର ସତା ହରାଇବାକୁ ବସିଲାଣି । ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ରଦୂଷଣ ଭାର ମଧ୍ୟ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି । ଏହା ଦ୍ୱାରା ଲୋକମାନେ ନାନାଦି ରୋଗର ଶିକାର ହେଉଛନ୍ତି । ଏପରିସ୍ଥଳେ ଜଙ୍ଗଲ ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡିଛି ଏହାକୁ ନଜରରେ ରଖି ସରକାର ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ବେପରୱା ମନଭାବ ପାଇଁ ଜଙ୍ଗ ସୃଷ୍ଟି ଅସମ୍ଭବ ହୋଇପଡିଛି । ରାଜାରାଜୋଡା ଶାସନ ସମୟରେ ବିଭିନ୍ନ ସ୍ଥାନରେ ବଡ ବଡ ତୋଟା ମାନ ସୃଷ୍ଟି କରାଯାଇ ପରୁଥିଲା ବେଳେ ଏବେ କିନ୍ତୁ ଏହା ସମ୍ଭବପର ହେଉ ନାହିଁ । ଏସମ୍ପର୍କରେ ଚନ୍ଦ୍ରମଣିଙ୍କୁ ପଚାରିଲେ ସେ କହନ୍ତି, ରାଜାଙ୍କ ଆଦେଶକୁ ମାନି ସେମାନେ ଖାଲି ପଡିଥିବା ସ୍ଥାନ ମାନଙ୍କରେ ଚାରା ରୋପଣ କରି ଏହାର ସଠିକ ରକ୍ଷଣା ବେକ୍ଷଣ କରୁଥିଲେ । ଯାହା ଫଳରେ ତୋଡା ଗୁଡିକ ସୃଷ୍ଟି ହୋଇ ପରୁଥିଲା । ମାତ୍ର ଏବେ ଏହାର ବ୍ୟତିକ୍ରମ ପରିଲିକ୍ଷିତ ହେଉଛି । ଏବେ ଲୋକମାନେ ଭୟ ଶୁନ୍ୟ ହୋଇ ଗଛଗୁଡିକୁ କାଟି ଜାଳେଣୀ ଭାବେ ବ୍ୟବହାର କରିବା ସହିତ ଅନ୍ୟତ୍ର ବିକ୍ରୟ କରୁଛନ୍ତି । ଯାହାକୁ ରୋକିବାରେ ପ୍ରଶାସନ ବିଫଳ ହେଉଛି । ସମାଜ ହିତ ଦୃଷ୍ଟିରୁ ଲୋକମାନେ ସଚେତନ ହେବାର ସମୟ ଆସିଛି । ଲୋକେ ସଚେତନ ହେବା ସହିତ ଜଙ୍ଗଲ ବିଭାଗରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ଠିକ ଭାବେ ଦାୟିତ୍ୱ ବହନ କଲେ ଜଙ୍ଗଲ ସୃଷ୍ଟି ହୋଇ ପାରନ୍ତା । ଯାହାର ସୁଫଳ ଲୋକମାନେ ପାଇପାରନ୍ତେ ବୋଲି ଚନ୍ଦ୍ରମଣି କହିଛନ୍ତି ।

Comments (0)
Add Comment