ଅମର୍ଦ୍ଦାରୋଡ଼,୨୦/୦୯: ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଯାଇଛି। ଉକ୍ତ ଟଙ୍କାକୁ ଉଠାଇବା ପାଇଁ ୩ଦିନ ଧରି ବ୍ୟାଙ୍କ ସାମ୍ନାରେ ଖୁବ୍ ଭିଡ ଦେଖିବାକୁ ମିଳିଛି। ମାତ୍ର ବସ୍ତା ବ୍ଲକ୍ ଅମର୍ଦ୍ଦାରୋଡ଼ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପରିସରରେ ଅବ୍ୟବସ୍ଥା ଯୋଗୁଁ ସୁଭଦ୍ରା ହିତାଧିକାରୀ ସମେତ ବ୍ୟାଙ୍କକୁ ଅନ୍ୟ କାମରେ ଆସି ଗ୍ରାହକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ବ୍ୟାଙ୍କ ଖୋଲିବା ପୂର୍ବରୁ ମହିଳା ହିତାଧିକାରୀ ମାନେ ଟଙ୍କା ନେବାକୁ ଆସି ବ୍ୟାଙ୍କ ସମ୍ମୁଖରେ ଭିଡ଼ ଜମାଇଥିଲେ। ପରେ ବ୍ୟାଙ୍କ ଖୋଲିବା ପରେ ସେମାନେ ଏକସଙ୍ଗେ ବ୍ୟାଙ୍କ ଭିତରକୁ ପଶିଯାଇ ଭିଡ଼ ଜମାଇଥିଲେ। ଫଳରେ ବ୍ୟାଙ୍କକୁ ଅନ୍ୟ କାମରେ ଆସିଥିବା ପୁରୁଷ,ବୃଦ୍ଧ ବୃଦ୍ଧାଙ୍କୁ ହୋଇରାଣ ହରକତ ଭୋଗିବାକୁ ପଡ଼ିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ପକ୍ଷରୁ ଧାଡ଼ି ବାନ୍ଧିବା ନିୟମକୁ କାର୍ଯକାରୀ ସହ ଭିଡ଼ ନିୟନ୍ତ୍ରଣ ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏପରି ପରିସ୍ଥିତି ଦେଖାଯାଇଥିବା ଗ୍ରାହକ କହିଛନ୍ତି। ଏଣୁ ଆଗାମୀ ଦିନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏସବୁ ଦିଗରେ ଦୃଷ୍ଟି ଦେବାକୁ ଗ୍ରାହକ ମହଲରେ ଦାବି ହୋଇଛି।