ସିମୁଳିଆ,୦୧/୧୧:ଶୁକ୍ରବାର ଦିନ ବରିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିମୁଳିଆ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକ ଶିକ୍ଷାଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଜଗନ୍ନାଥ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପଣ୍ଡିତ ଦୟାନିଧି ପତ୍ରୀ ଓ କଳ୍ପତରୁ ଦାଶ ବେଦପାଠ କରିଥିଲେ ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ବ୍ଳକ ଅଧ୍ୟକ୍ଷ ବାବାଜୀ ଚରଣ ମଳିକ,ସହକାରୀ ବ୍ଳକ ଶିକ୍ଷାଅଧିକାରୀ ବିଦ୍ୟାଧର ମହାଳିକ,ସିଆରସିସି ମନୋରଞ୍ଜନ ନାୟକ,ସମିତି ସଭ୍ୟ ଗଜେନ୍ଦ୍ର ପ୍ରସାଦ ସେଠୀ,ସରପଞ୍ଚ ଧରଣୀଧର ନାୟକ,ପରିଚାଳନା କମିଟିର ସଭାପତି ସଞ୍ଜୟ କୁମାର ପଡ଼ିଆରୀ,ସ୍କୁଲର ପ୍ରଧାନ ଶିକ୍ଷକ ଗଦାଧର ସିଂ,ବରିହା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରାକାର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷକ ବନମାଳୀ ନାୟକ,ରବିନାରାୟଣ ପଣ୍ଡା ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁରଭି କାର୍ଯ୍ୟକ୍ରମରେ ବରିଷ୍ଠ, କନିଷ୍ଠ, ଉପକନିଷ୍ଠ ଓ ଭିନ୍ନକ୍ଷମ ବର୍ଗରେ ବିତର୍କ, ପ୍ରବନ୍ଧ, କୁଇଜ, ଚିତ୍ରାଙ୍କନ,ସୃଜନଶୀଳ ଲିଖନ,ଓଡ଼ିଆ ହସ୍ତାକ୍ଷର,ବକ୍ତୃତା,ସଂଗୀତ,ନୃତ୍ୟ, ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୬ଟି କ୍ଲଷ୍ଟରରୁ ୪୭୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୫ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ସୁରଭିରେ ଅଂଶଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବ୍ଳକ ଶିକ୍ଷାଅଧିକାରୀ ପ୍ରକାଶ ମହାଳିକ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।