ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଙ୍କୁଚିତ କରିବା ଏହା ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି: ପ୍ରଫୁଲ୍ଲ ଘଡେ଼ଇ ।

ଯାଜପୁର,୧୭/୦୮(ପିପିଟି): ବ୍ଲକ ଅଧ୍ୟକ୍ଷମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ବିଭିନ୍ନ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହା ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି ବୋଲି କହିଛି। ଏହି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କହୁଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀପ୍ରଫୁଲ୍ଲ ଘଡେ଼ଇ। ବିଜେପି ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନିର୍ଦ୍ଦେଶନାମାରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଲରେ କେବଳ ବିଡ଼ିଓଙ୍କ ଦସ୍ତଖତ ରହିବ। ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେଲେ ବ୍ଲକ ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ହେଉଥିଲା ଓ ଏହି ପ୍ରକଳ୍ପ ଗୁଡିକ ୧୦ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ରହୁଥିଲା। ତେଣୁ, ୨୦ ଲକ୍ଷ ପର୍ଯ୍ୟନ୍ତ କେବଳ ବିଡ଼ିଓଙ୍କ ଦସ୍ତଖତ ରହିବା ନିୟମ ହେଲେ, ବ୍ଲକ ଅଧ୍ୟକ୍ଷ ମାନଙ୍କ କ୍ଷମତା କେବଳ ସଂକୁଚିତ ନୁହେଁ ବରଂ ସଂପୂର୍ଣ୍ଣ ଶୂନରେ ପରିଣତ ହେବ। ଏହି ପରିପ୍ରେକ୍ଷୀରେ, ନିର୍ଦ୍ଦେଶନାମା ଜାରି କରିବା ପଛରେ ରାଜ୍ୟ ସରକାରଙ୍କ କି ଆଭିମୁଖ୍ୟ ରହିଛି ତାହା ସ୍ପଷ୍ଟ ହେବା ଦରକାର।

ଘଡେ଼ଇ କହିଛନ୍ତି ଏହି ପ୍ରସ୍ତାବିତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଲେ, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଉପରେ କୁଠାରଘାତ ହେବ। ପଞ୍ଚାୟତରାଜ ବ୍ୟବସ୍ଥା ଅନୁଯାୟୀ, ତୃଣମୂଳ ସ୍ତରକୁ କ୍ଷମତା ପ୍ରଦାନ କରାଯିବା କଥା କିନ୍ତୁ ଏହି ନିର୍ଦ୍ଦେଶନାମା ମାଧ୍ୟମରେ ତୃଣମୂଳ ସ୍ତରରୁ,ବିଶେଷକରି ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ କ୍ଷମତା କାଢି ନେବା ପାଇଁ ପ୍ରୟାସ କରାଯାଉଛି। ତେଣୁ ଏହି ନିର୍ଦ୍ଦେଶନାମା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

Comments (0)
Add Comment