ବ୍ରହ୍ମାକୁମାରୀସ୍ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରରେ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ।

ବ୍ରହ୍ମପୁର,୨୯/୦୬(ପିପିଟି ):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ଆଜି ମାଉଣ୍ଟ ଆବୁସ୍ଥ ଅନ୍ତଃରାଷ୍ଟ୍ରୀୟ ପ୍ରେରକ ବକ୍ତା ତଥା ମନ ଏବଂ ସ୍ମୃତି ପ୍ରଶିକ୍ଷକ ଭ୍ରାତା ଡା. ବ୍ରହ୍ମାକୁମାର ଭ୍ରାତା ଶକ୍ତିରାଜଙ୍କ ବ୍ରହ୍ମପୁର ଆଗମନ ଉପଲକ୍ଷେ ’ସେଲିବ୍ରେଟିଂ ଲାଇଫ୍’ (Celebrating Life) ଅର୍ଥାତ୍ “ଜୀବନକୁ ଆନନ୍ଦମୟ କରିବା” ସମ୍ପର୍କରେ ଏକ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହକୁ ଟାଟା ଗ୍ରୁପର ସୁରକ୍ଷା ବିଭାଗୀୟ ମୁଖ୍ୟ ଭ୍ରାତା ଅଶୋକ ରାୟ, ସ୍ବସ୍ତି ସୋଲାର (Swosty Solar) ର ବିଭାଗୀୟ ମୁଖ୍ୟ ଭ୍ରାତା ସନ୍ତୋଷ ସିଂ, ଲୋହିୟା ବ୍ରଦର୍ସ ଏବଂ ତନିଷ୍କର ପରିଚାଳନା ନିର୍ଦ୍ଦେଶକ ଭ୍ରାତା ଅଶୋକ କୁମାର ଲୋହିୟା, ଦୈନିକ ଅଂଗ୍ରେଜୀ ‘Deccan Chronicle ଡେକାନ କ୍ରୋନିକଲ ର କପି ମ୍ୟାନେଜର ଭ୍ରାତା ରମେଶ ପଟ୍ଟନାୟକ, ଅବସରପ୍ରାପ୍ତ ସ୍ତ୍ରୀ ଏବଂ ପ୍ରସୂତିରୋଗ ବିଶେଷଜ୍ଞ ଡା. ଭାରତୀ ମିଶ୍ର ଏବଂ ବ୍ରହ୍ମପୁର ସବଜୋନ୍ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳାଙ୍କ ଗହଣରେ ବ୍ରହ୍ମାକୁମାର ଡା. ଭ୍ରାତା ଶକ୍ତିରାଜ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଶୁଭୋଦଘାଟନ କରି ଆଲୋଚ୍ୟ ବିଷୟ ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ ଯେ ସେଲିବ୍ରେଟିଂ ଲାଇଫ ଅର୍ଥାତ୍ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଏକ ଉତ୍ସବ ସଦୃଶ୍ୟ ଅନୁଭବର ସହ ଖୁସି, ଆନନ୍ଦ, ଉମଙ୍ଗ, ଉତ୍ସାହ, ଉଲ୍ଲାସ ତଥା ସକାରାତ୍ମକ ଦୃଷ୍ଟିକୋଣ ରଖି ବ୍ୟତୀତ କରିବା । ଯେକୌଣସି ପରିସ୍ଥିତିରେ ମଧ୍ୟ ଜୀବନରେ ହତାଶା, ନିରାଶା, ଗ୍ଲାନିଭାବ, ଦୁଃଖ , ଚିନ୍ତା , ଈର୍ଷ।, ଦ୍ବେଷ ଆଦି ଭାବନାରୁ ମୁକ୍ତ ରହିବା । ଭ୍ରାତା ଶକ୍ତିରାଜ ବର୍ତ୍ତମାନ ସମାଜରେ ଜଟିଳ, କଠିନ ଏବଂ ନକାରାତ୍ମକ ସମସ୍ୟାରେ ପୀଡିତ ସାଧାରଣ ମନୁଷ୍ୟଙ୍କ ପାଇଁ ସୁଗମ ଜୀବନଚର୍ଯ୍ୟାର ସହଜ ଉପାୟ ଅଭ୍ୟାସ କରାଇଥିଲେ ତଥା ଜୀବନକୁ ଉତ୍ସବ ମୁଖର କରିବା ଓ ବ୍ୟର୍ଥ ଚିନ୍ତନରୁ ମୁକ୍ତ ସୁଖୀ ଜୀବନଯାପନର ମାର୍ଗଦର୍ଶନ କରାଇଥିଲେ । ସେ ପୁଣି କହିଥିଲେ ଯେ ମନୁଷ୍ୟର କୃତକର୍ମ ଓ ଅତୀତ ତାହାକୁ ପଛକୁ ଟାଣି ଦୁଃଖୀ କରାଇଥାଏ ଅଥଚ ଆଗତ ଭବିଷ୍ୟ ଜୀବନର ସ୍ବପ୍ନ ଏବଂ ଅପୂର୍ଣ୍ଣ ଆଶାତୀତ କାମନାର ମାନସ ମନ୍ଥନ ମନୁଷ୍ୟକୁ ବର୍ତ୍ତମାନରୁ ଲକ୍ଷ୍ୟଭ୍ରଷ୍ଟ କରିଦିଏ । ଏପରି ସମସ୍ତଙ୍କ ଜୀବନରେ ଘଟୁଥିବା ଅସଫଳ ସମସ୍ୟାର ସମାଧାନ ପାଇଁ ସହଜ ଉପାୟମାନ ସ୍କ୍ରିନ ଚିତ୍ର ମାଧ୍ୟମରେ ବିଶେଷ ଅନୁଭବ କରାଇଥିଲେ । ସେ ପୁଣି ପରମାତ୍ମାଙ୍କ ଅସୀମ କରୁଣା ଏବଂ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଆମ ଭିତରେ ଜମି ରହିଥିବା ପୁରୁଣା ସଂସ୍କାର ଓ କୁଅଭ୍ୟାସରୁ ନିବୃତ୍ତ ହେବାକୁ ପଡିବ । ପ୍ରତ୍ୟେକ ମୁହୂର୍ତ୍ତରେ ସୁଖୀ, ଶାନ୍ତ, ଆନନ୍ଦମୟ ଏବଂ ସନ୍ତୁଷ୍ଟ ଜୀବନଯାପନ ସକାଶେ ପରମାତ୍ମାଙ୍କ ସହ ଯୋଗାଭ୍ୟାସ ଦ୍ବାରା ଉପଯୁକ୍ତ ସୁଯୋଗ ତିଆରି କରିବା ଆମ ସମସ୍ତଙ୍କର ପ୍ରଥମ ପ୍ରୟାସ ହେବା ଉଚିତ ବୋଲି ସେ ପୁଣି କହିଥିଲେ । ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ଉପସ୍ଥିତ ସମସ୍ତ ଆଧ୍ୟାତ୍ମପ୍ରେମୀ ଜନସାଧାରଣଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିବା ପୂର୍ବକ ଆଗାମୀ 3ଟି ରାଜଯୋଗ ଶିବିରରେ ଅଂଶଗ୍ରହଣ କରି ଚିନ୍ତା ରହିତ ସୁଖମୟ ଜୀବନଯାପନ ଏବଂ ବର୍ତ୍ତମାନର କୈନ୍ଦ୍ରିକ ହୋଇ ଅବଶିଷ୍ଟ ସମୟକୁ ସଫଳ କରିବା ସକାଶେ ପ୍ରେରଣା ପ୍ରଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ ସମାରୋହରେ ବ୍ରହ୍ମପୁର ମହାନଗର ସମେତ ନିକଟବର୍ତ୍ତୀ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ବିଭାଗର ପ୍ରତିଷ୍ଠିତ ବ୍ୟକ୍ତିଗଣ ଅଂଶଗ୍ରହଣ କରି ଉପକୃତ ହୋଇଥିଲେ ।

Comments (0)
Add Comment