ବ୍ରହ୍ମପୁର,୨୭/୦୯: ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ” ନାମକ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ ଏଜେନ୍ସି (DRDA) ମୁଖ୍ୟ କୀର୍ତ୍ତି ଭାସନ ଭି. (ଆଇଏଏସ୍)ଯୋଗ ଦେଇ ଲୋଗୋଟିକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ଯ ହେଲା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ମୁକ୍ତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା କରାଇବା। ଯେଉଁ ପର୍ଯ୍ୟଟକମାନେ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସନ୍ତି ସେଥି ମଧ୍ୟରୁ କିଛି ସେଠାକାର ପ୍ରକୃତିକୁ ଉପଭୋଗ କରିବା ବେଳେ ପରିବେଶକୁ ନଷ୍ଟ କରିଦିଅନ୍ତି। ଯାହାଦ୍ୱାରା ଅନ୍ୟ ପର୍ଯ୍ୟଟକ ଉକ୍ତ ପରିବେଶକୁ ଆସିବା ପାଇଁ ଆଗ୍ରହ ଦେଖାନ୍ତି ନାହିଁ। ତେଣୁ ବ୍ରହ୍ମପୁର ସବୁଜ ବାହିନୀର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଥିବା ସ୍ଥାନୀୟ କମିଟି ସହ ମିଶି ସଫେଇ କାର୍ଯ୍ୟକ୍ରମ କରିବା ଏବଂ ପର୍ଯ୍ୟଟକଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରାଇବେ। ଯାହାଦ୍ୱାରା ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ପର୍ଯ୍ୟଟକଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିପାରିବ ଏବଂ ବିଶ୍ୱ ଦରବାରରେ ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ପ୍ରସନ୍ନ ସ୍ବାଇଁ, ଏ ପ୍ରକାଶ, ସାଗର ପାତ୍ର, ସତ୍ୟମ ସାହୁ ପ୍ରଭୃତି ସଦସ୍ୟ ଯୋଗ ଦେଇଥିଲେ।