ବ୍ରହ୍ମପୁର ବିଏମସି ପକ୍ଷରୁ ଆରମ୍ଭ ହେଲା ଇ- ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ପ୍ରକ୍ରିୟା ।

ବ୍ରହ୍ମପୁର,୧୪/୦୮(ପିପିଟି); ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏନେଇ ଆଜି ବିଏମ୍‌ସି ପକ୍ଷରୁ ଇ- ବର୍ଜ୍ୟବସ୍ତୁ ଏବଂ ବିପଦଜନକ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ବିଏମ୍‌ସି ଡେପୁଟି କମିଶନର ରୋମାଞ୍ଚଳ ଖମାରୀ ଏହାର ଶୁଭାରମ୍ଭ କରିଛନ୍ତି । ବିଏମ୍‌ସି ପକ୍ଷରୁ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଏକ ଗାଡ଼ି ବୁଲିବା ସହିତ ସମସ୍ତ ଦୋକାନ , ଅନୁଷ୍ଠାନ ଏବଂ ପ୍ରତ୍ୟେକ ୱାର୍ଡର ଘରକୁ ଘର ବୁଲି ଏହି ଗାଡ଼ି ବିପଦଜନକ ବଜ୍ୟବସ୍ତୁ ସଂଗ୍ରହ କରିବ । ବର୍ଜ୍ୟବସ୍ତୁ ଭାବେ ପେଇଣ୍ଟ ଡ୍ରମ , ସି.ଏଲ.ଏଫ୍ ବଲବ , ଟ୍ୟୁବ୍ ଲାଇଟ୍ , ଏକ୍ସପାୟାର ମେଡିସିନ୍ , ଭାଙ୍ଗିଯାଇଥିବା ଥର୍ମୋମିଟର ,ଖରାପ ବ୍ୟାଟେରୀ , ବ୍ୟବହୃତ ସିରିଞ୍ଚ , ଗଜ୍ କପଡ଼ା ସମେତ ଖରାପ ହୋଇଥିବା ଫ୍ରିଜ୍ , କୁଲର , ଏସି ,ପ୍ୟାନ, ଟିଭି ଭଳି ବୈଦ୍ୟୁତିକ ଯନ୍ତ୍ରକୁ ଗାଡ଼ି ଦ୍ଵାରା ସଂଗ୍ରହ କରାଯିବ । ପ୍ରତ୍ୟେକ ସପ୍ତାହର ଶନିବାର ଗୋଟିଏ ଦିନରେ ୪୦ ଟି ୱାର୍ଡ ବୁଲି ଗାଡ଼ି ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବୋଲି ବିଏମ‌ସି ଡେପୁଟି କମିଶନର ଖମାରୀ କହିଛନ୍ତି । ତେବେ ପ୍ରଥମ ଦିନରେ ସାନ ବଜାର , ଏସ୍ଏଟି ରୋଡ , ଅନ୍ନପୁର୍ଣ୍ଣା ମାର୍କେଟ , ଗାନ୍ଧିନଗର ସମେତ ୱାର୍ଡ ନଂ ୧୨ , ୧୩ , ୧୪ , ୧୫ , ୧୬ , ୧୭ , ୧୮ , ୧୯ , ୨୩ , ୨୪ ମୋଟ ୧୦ଟି ୱାର୍ଡରୁ ରେ କିଛି ବର୍ଜ୍ୟବସ୍ତୁ ସଂଗ୍ରହ ହୋଇଛି । ପ୍ରତ୍ୟେକ ସପ୍ତାହ ଶନିବାର ଦିନ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି । ତେବେ ବଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟ ବିଏମ୍‌ସି ପକ୍ଷରୁ ପୂର୍ବରୁ ଏହି ପ୍ରୟାସ କରାଯାଇଥିବା ବେଳେ ଏହା ନିୟମିତ ଭାବେ ସଂଗ୍ରହ ହୋଇପାରି ନଥିଲା । ସାଧାରଣ ଅଳିଆ ହେଉଥିବା ଗାଡ଼ିରେ ଏହି ବର୍ଜ୍ୟ ବସ୍ତୁ ନିଆଯାଉଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହା ନିୟମିତ ଭାବେ ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ସଂଗ୍ରହ ହୋଇଥିବା ବର୍ଜ୍ୟବସ୍ତୁକୁ ବିଶାଖାପାଟଣାର ଆପନା ଭୂମୀ ଏଜେନ୍ସିକୁ ହସ୍ତାନ୍ତର କରାଯିବ ବୋଲି ଡେପୁଟି କମିଶନର ଶ୍ରୀ ଖମାରୀ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment