ବ୍ରହ୍ମପୁର,୧୨/୦୧(ପିପିଟି): ସି.ପି.ଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ଦାବିରେ ରେଳ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପାର୍ଟି ପକ୍ଷରୁ ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମେମୋ ଟ୍ରେନ ଚଳାଇବା ପାଇଁ ଦାବି କରାଯାଇଛି ।ପାସେଞ୍ଜର ଟ୍ରେନ ନଥିବା ଯୋଗୁଁ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଫାଷ୍ଟ ପାସେଞ୍ଜର ଟ୍ରେନକୁ ଏକ୍ସପ୍ରେସ୍ କରି ଚଳାଇବା ଯୋଗୁଁ ଲୋକମାନେ ଅଧିକ ଭଡା ଦେବାକୁ ପଡୁଛି । ଏହା ରେଳ ବିଭାଗର ଯାତ୍ରୀ ଶୋଷଣ ନୀତି ବୋଲି ଅଭିଯୋଗ କରିଛନ୍ତି ସି.ପି.ଏମ । ବିଭିନ୍ନ ସ୍ଥାନରେ ମେମୋ ସେବା ଆରମ୍ଭ ହୋଇଥିଲା ବେଳେ ବ୍ରହ୍ମପୁରକୁ ଉପେକ୍ଷା କରାଯାଇଥିବା ନେଇଁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅତିଶୀଘ୍ର ମେମୋ ସେବା ଓ ପାସେଞ୍ଜର ଭଡା ପ୍ରଚଳନ କରିବା ପାଇଁ ପାର୍ଟି ତରଫରୁ ଦାବୀ କରାଯାଇଛି । ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ସମ୍ବଳିତ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଅତିଶୀଘ୍ର ଏହି ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ସି.ପି.ଏମ ଚେତାବନୀ ଦେଇଛି । ସେହିପରି ଟି.ପି.ଏସ.ଓ.ଡି.ଏଲ୍ ପକ୍ଷରୁ ବିଦ୍ୟୁତ ଗ୍ରାହଙ୍କ ଠାରୁ ଡି.ପି.ଏସ୍ ଚାର୍ଜ ନାମରେ ଅନ୍ୟାୟ ଭାବେ ଆଦାୟ କରୁଥିବା ଟଙ୍କା ଫେରସ୍ତ କରିବା ଓ ପ୍ରତି ମାସରେ ପ୍ରିଣ୍ଟ ବିଲ ଦେବା ସମ୍ପର୍କରେ ବ୍ରହ୍ମପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପାର୍ଟି ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା,ଶିବ ପ୍ରସାଦ ମହାପାତ୍ର ,ବାବୁଲା ନାୟକ , ଗୋପାଳ ପାଣିଗ୍ରାହୀ, ଗୋକୁଳ ତ୍ରିପଠୀ ,ରଞ୍ଜନ ପାତ୍ର , ହରି ନାହାକ,ଗୋପାଳ ମୋହାନ୍ତି , କିଶୋର ମିଶ୍ର ,କେଶବ ଗୌଡ଼ ଓ ଚନ୍ଦନ ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )