ବେଲଗୁଣ୍ଠା ପ୍ରେସକ୍ଲବ୍ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ।

ବେଲଗୁଣ୍ଠା,୧୭/୦୮(ପିପିଟି):ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ପ୍ରେସ କ୍ଲବ୍ ବେଲଗୁଣ୍ଠା’ର ଏକ ସାଙ୍ଗଠନିକ ବୈଠକ କୀରାପଲିସ୍ଥିତ ମା’ କୁମାରଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବୈଠକ ଆରମ୍ଭରେ ତିନି ଥର ଓଁକାର ଧ୍ୱନି ଉଚ୍ଚାରଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ଏହି ବୈଠକରେ ସଂଘର ବିଭିନ୍ନ ସୁବିଧା, ଅସୁବିଧା, ସମସ୍ୟା ତଥା ସାଙ୍ଗଠନିକ ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ କ୍ଲବର ବାର୍ଷିକ ଉତ୍ସବ ପାଳନ କରିବା ଏବଂ ସଂଘ ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ନେଇ ସଭାପତି ଗୁରୁତ୍ୱାରୋପ କରିଥିଲେ। ଏଥିସହ ସଂଘର ଏକ ମାସିକ ବଜେଟ୍ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଥିଲା, ଯାହା ମାଧ୍ୟମରେ କ୍ଲବ୍ ପକ୍ଷରୁ ନିୟମିତ କରାଯାଉଥିବା ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ ଭଳି ସମାଜମଙ୍ଗଳ କାର୍ଯ୍ୟକ୍ରମକୁ ଆହୁରି ଲୋକାଭିମୁଖୀ କରାଯାଇପାରିବ। ବେଲଗୁଣ୍ଠା ପ୍ରେସ କ୍ଲବ୍ ସର୍ବଦା ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଖବର ପ୍ରସାରଣ କରିବା ଉପରେ ଉପସ୍ଥିତ ସଭ୍ୟମାନେ ନିଜର ମତାମତ ରଖିଥିଲେ। ଖବର ପ୍ରସାରଣ ଏବଂ ତଥ୍ୟ ସଂଗ୍ରହ ଦିଗରେ ଅଧିକ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ସଭାପତି ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ସୂର୍ଯ୍ୟନାରାୟଣ ତ୍ରିପାଠୀ ସଂଘର ବାର୍ଷିକ ବଜେଟ୍ ଓ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ, ଯାହାଫଳରେ ଆଗାମୀ ଦିନରେ ସଂଘ ଆହୁରି ସୁଦୃଢ଼ ହୋଇପାରିବ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା’ରେ ସାମ୍ବାଦିକଙ୍କ ପରିବାର ସମେତ ପିତାମାତାଙ୍କୁ କିପରି ସାମିଲ କରାଯାଇପାରିବ, ସେ ନେଇ ଆଗାମୀ ଦିନରେ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସନ୍ତୋଷ କୁମାର ବିଷୋୟୀ, ମାଧବ ଚନ୍ଦ୍ର ଆପଟ, ନବକିଶୋର ମହାରଣା,ସୁଶାନ୍ତ କୁମାର ବେହେରା,ସଦାଶିବ ପାଣିଗ୍ରାହୀ,ଏ.ମନୋଜ କୁମାର ପାତ୍ର,ଶିବରାମ ଚୌଧୁରୀ,ଚନ୍ଦନ ସାହୁ,ତୋଫାନ କୁମାର ସାହୁ,କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ସରୋଜ କୁମାର ଶତପଥୀ,ପ୍ରଦୀପ କୁମାର ଚୌଧୁରୀ,ପଞ୍ଚାନନ ନାୟକ, ସୁରେଶ ସୁବୁଦ୍ଧି,ପଞ୍ଚାନନ ସାହୁ, ସୁଧାଂଶୁ ବିଷୋୟୀ,ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Comments (0)
Add Comment