ବେଲଗୁଣ୍ଠା ପ୍ରେସକ୍ଲବ୍ ତତଫରୁ ଗୁରୁଜୀ ମିଥୁନଙ୍କୁ ‘ରକ୍ତବୀର ସମ୍ମାନ’ ।

ବେଲଗୁଣ୍ଠା, ୧୬/୦୮(ପିପିଟି ):ମାନବ ସେବା ଓ ଜୀବନ ରକ୍ଷା ପାଇଁ ନିୟମିତ ରକ୍ତଦାନ କରିଆସୁଥିବା ଗାଙ୍ଗପୁର ଅଞ୍ଚଳର ଯୁବ ଶିକ୍ଷକ ମିଥୁନ ନାଇକଙ୍କୁ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ‘ରକ୍ତବୀର ସମ୍ମାନ’ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ପ୍ରତିବର୍ଷ ସ୍ବାଧୀନତା ଦିବସ ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଅଞ୍ଚଳରେ ସର୍ବାଧିକ ସ୍ଵେଚ୍ଛାକୃତ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ନେତୃତ୍ବରେ ଏକ ତିନି ଜଣିଆ କମିଟି ଏହି ସମ୍ମାନ ପାଇଁ ମିଥୁନଙ୍କୁ ମନୋନୀତ କରିଥିଲେ। ଗାଙ୍ଗପୁର ନିବାସୀ ମହେଶ୍ୱର ନାଇକ ଓ ରଜନୀ ନାଇକଙ୍କ ପୁତ୍ର ମିଥୁନ ନାଇକଙ୍କ ବୟସ ୩୫ ବର୍ଷ। ସେ ଏପର୍ଯ୍ୟନ୍ତ ୧୬ ଥର ରକ୍ତଦାନ କରିସାରିଛନ୍ତି। ଆବଶ୍ୟକ ସମୟରେ ଲୋକଙ୍କ ନିକଟରେ ପହଞ୍ଚି ରକ୍ତଦାନ କରି ସେମାନଙ୍କ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ବର୍ତ୍ତମାନ ସେ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।ତାଙ୍କର ନିଃସ୍ୱାର୍ଥ ରକ୍ତଦାନ, ମାନବିକତା ଓ ସମାଜସେବାକୁ ସମ୍ମାନ ଜଣାଇ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ଆଜି ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଆଜି ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ପରିସରରେ ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସହକାରୀ ଥାନା ଅଧିକାରୀ ସାରାଲତା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ୍ ସମ୍ପାଦକ ଅଶ୍ଵିନୀ ମହାନ୍ତି,ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠି,ଅରୁଣ ସ୍ବାଇଁ,ସୁଧାଂଶୁ ଶେଖର ବିଷୋୟୀ,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ଅନୁଷ୍ଠାନ ପ୍ରଧାନ ଆଚାର୍ଯ୍ୟା ସସ୍ମିତା କୁମାରୀ ମାଝୀ,ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇ ମିଥୁନଙ୍କୁ ମାନପତ୍ର,ଉପଢୌକନ ଏବଂ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ସମସ୍ତ ଗୁରୁଜୀ,ଗୁରୁମା ଏବଂ କର୍ମଚାରୀ ସହଯୋଗ କରିଥିଲେ। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ସେବା ଓ ମାନବିକତାର ଭାବନା ଜାଗ୍ରତ କରିବାରେ ମିଥୁନଙ୍କ ଭୂମିକା ଅନୁକରଣୀୟ ବୋଲି ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ। ମିଥୁନ ନାଇକଙ୍କ ଏହି ମହତ୍ ପଦକ୍ଷେପ ଅନ୍ୟମାନଙ୍କୁ ମଧ୍ୟ ନିୟମିତ ରକ୍ତଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Comments (0)
Add Comment