ବେଲଗୁଣ୍ଠା ଓ ଗାଙ୍ଗପୁରରେ କରୋନା ଟୀକା ନେଲେ ବରିଷ୍ଠ ନାଗରିକ ।

ବେଲଗୁଣ୍ଠା,୧୮/୦୩(ପିପିଟି),କରୋନା ଟୀକା ଉଦ୍ଭାବନ ହେବା ପରେ ପ୍ରଥମେ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟୀକାକରଣ କରାଯିବା ପରେ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋବରା ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କରାଯିବା ପରେ ଆଜି ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼କ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆଜି ସକାଳ ୯ ଘଣ୍ଟା ସମୟରେ ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଟୀକାକରଣ କାର୍ଯ୍ୟକ୍ରମ କ୍ରମ ଆରମ୍ଭ ହୋଇଥିଲା । ସ୍ଵାସ୍ଥ୍ୟ ନୀରିକ୍ଷକ ଶୁଭ୍ରମନ୍ୟୁ କରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ କର୍ମୀ ଜୟଶ୍ରୀ ବେହେରା, ଦିପୁ ଗୌଡ଼, ସଚିନ୍ ଗୌଡ, ଜ୍ୟୋତ୍ସ୍ନାରାଣୀ ବେହେରା,ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ପାଣ୍ଡବ ସ୍ୱାଇଁ ପ୍ରମୁଖ ଟୀକାକରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଫାର୍ମାସିଷ୍ଟ୍ ଯଜ୍ଞସେନ୍ ସୁବୁଦ୍ଧି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଟୀକାଦାନ କେନ୍ଦ୍ରରେ ଉପସ୍ଥିତ ରହି ଟୀକା ଗ୍ରହଣ କରୁ୍ଥିବା ବୟସ୍କ ନାଗରିକଙ୍କୁ ଉତ୍ସାହିତ କରିଥିଲେ । ଆଜିର ଟୀକାକରଣ କାର୍ଯ୍ୟକ୍ରମରେ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୧୭ ଜଣ ବରିଷ୍ଠ ନାଗରିକ ଟୀକା ଗ୍ରହଣ କରିଥିବା ବେଳେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୭୯ ଜଣ ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୭୭ ଜଣ ବରିଷ୍ଠ ନାଗରିକ ଟୀକା ଗ୍ରହଣ କରିଛନ୍ତି । ବ୍ଳକ୍ ର ସମସ୍ତ ତିନୋଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଜି ଟୀକା ଗ୍ରହଣ କରିଥିବା ସମସ୍ତ ୮୭୩ ଜଣ ବ୍ୟକ୍ତି ସୁସ୍ଥ ଥିବା କଥା ଡକ୍ଟର୍ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Comments (0)
Add Comment