ବେଲଗୁଣ୍ଠା,୧୮/୦୯(ପିପିଟି): ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସବିତା ବେହେରାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ ଉଦ୍ଘାଟନ କରିଥିବା ବେଳେ ବେଲଗୁଣ୍ଠା ତହସିଲଦାର ତଥା ବିଡିଓ କଳାକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ରୂପେ ସିଡିପିଓ ନଳିନୀ ମହାରଣା ଯୋଗଦେଇଥିଲେ । ନାରୀ ସୁସ୍ଥ ରହିଲେ ହିଁ ସମାଜ ଆଗକୁ ଯାଇପାରିବ ବୋଲି ତହସିଲଦାର ଶ୍ରୀ ପ୍ରଦାନ ପ୍ରକାଶ କରିଥିବା ବେଳେ ଜଣେ ନାରୀ ଝିଅ, ନଣନ୍ଦ, ଭାଉଜ, ମାଆ, ସ୍ତ୍ରୀ, ମାଉସୀ, ପିଉସୀ, ଭଉଣୀ ଭଳି ଭୂମିକାରେ ବିଭିନ୍ନ ସମସ୍ୟା ଭିତରେ ନିଜ ପରିବାରକୁ ସୁରକ୍ଷା ଦେଉଥିବାରୁ ତାର ସୁସ୍ଥତା ପ୍ରତି ସମାଜ ଯତ୍ନବାନ ହେବା ଆବଶ୍ଯକ ବୋଲି ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ଭୋଳ ପ୍ରକାଶ କରିଥିଲେ ।
ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଛଅ ପ୍ରକାରର ରୋଗର ନିରୂପଣ କରାଯାଇ ମାଗଣାରେ ସମସ୍ତ ଔଷଧ ଯୋଗାଇଦେବାର ବ୍ୟବସ୍ଥା ହୋଇଥିଲା । ଏଥିରେ ଅଞ୍ଚଳର ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ଵ ମହିଳା ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏଥିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ନିବେଦିତା ମହାପାତ୍ରଙ୍କ ସମେତ ଡାକ୍ତର ସନ୍ଦୀପ ପଣ୍ଡା, ଡ଼ାକ୍ତର ଆଶିଷ ମହାପାତ୍ର, ଡ଼ାକ୍ତର ଅଂଶୁମାନ ଦୀକ୍ଷିତ୍, ଡ଼ାକ୍ତର ସବିତା ବେହେରା ପ୍ରମୁଖ ମହିଳା ମାନଙ୍କ ଚିକିତ୍ସା କରିଥିଲେ । ଏହି ଅବସରରେ ଅଣସଂକ୍ରାମକ ରୋଗ, ଯକ୍ଷ୍ମା, ସିକିଲସେଲ, ଥାଲାସେମିଆ, ଗର୍ଭବତୀ ଏବଂ ପ୍ରସୂତିଙ୍କ ପରୀକ୍ଷା,ଟୀକାକରଣ ସମ୍ପର୍କରେ ସଚେତନ କରାଯାଇଥିଲା । ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ନିଜସ୍ୱ ଆର୍ଥିକ ଅନୁଦାନରେ ପନ୍ଦର ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ମାନସୀ ଦାସ,ଟିବି ସୁପରଭାଇଜର ଦୂର୍ଗା ପ୍ରସାଦ ପାତ୍ର ଏବଂ ମ୍ୟାଲେରିଆ ସୁପରଭାଇଜର କୃଷ୍ଣ ଚୌଧୂରୀ, ଆଇସିଡିଏସ୍ ସୁପରଭାଇଜର ,ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଏମବିକେ ଏବଂ ସିଆରପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।