ବେଲଗୁଣ୍ଠା,୧୫/୦୫(ପିପିଟି);କରୋନା ସଂକ୍ରମଣ ପାଇଁ ବେଲଗୁଣ୍ଠାର ପ୍ରସିଦ୍ଧ ଦ୍ୱିବାର୍ଷିକ ମାଆ ବ୍ରାହ୍ମଣଦେବୀ ଯାତ୍ରାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ମିଳିନଥିବା ଯୋଗୁଁ ଏହି ବର୍ଷ ଯାତ୍ରାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇ ପରମ୍ପରା ରକ୍ଷା ପାଇଁ କୋଳି ସାହି ଯାତ୍ରା କମିଟି ତରଫରୁ ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପରିସରରେ କେବଳ ଶାନ୍ତି ହୋମ କରାଯାଇ ମାଆଙ୍କୁ ସନ୍ତୁଷ୍ଟ କରାଯାଇଛି । ସୂଚନା ଥାଉକି ପ୍ରତି ଦୁଇ ବର୍ଷରେ ଥରେ ମାଆ ବ୍ରାହ୍ମଣ ଦେବୀ ନିଜ ମନ୍ଦିରରୁ ବେଲଗୁଣ୍ଠା କୋଳିସାହି ସ୍ଥିତ ନିଜ ବାପା ଘରକୁ ଆସିବା ଅବସରରେ ମାଆ ବ୍ରାହ୍ମଣ ଦେବୀ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଦୁଇମାସ ତଳୁ ଯାତ୍ରା କମିଟି କେବଳ ପରମ୍ପରା ରଖି ସାତଦିନ ପାଇଁ ଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିବା ସହିତ ଏନେଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ଏହି ବିଷୟରେ ଏନ୍ଏସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ରଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ କଟକଣା ସହିତ କେବଳ ପରମ୍ପରା ବଜାୟ ରଖି ମାଆଙ୍କୁ କୋଳି ସାହିକୁ ମାତ୍ର ସାତ ଦିନ ପାଇଁ ଆଣିବା ପାଇଁ ଅନୁମତି ମାଗିଥିଲେ । ଏ ନେଇ ତହସିଲଦାର ଶ୍ରୀ ବେହେରା ପତ୍ର ଆକାରରେ ମାଆଙ୍କ ଆଗମନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ କରୋନାର ଭୟାବହତା ତଥା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରା ପାଇଁ ଅନୁମତି ଦେଇନଥିଲା। ତେଣୁ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ କୋଭିଡ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ମାଆ ବ୍ରାହ୍ମଣ ଦେବୀଙ୍କ ମନ୍ଦିରରେ ଅଳ୍ପ ସଂଖ୍ୟକ ପୂଜକ ଏବଂ ଯାତ୍ରା କମିଟି ଉପସ୍ଥିତ ରହି ଶାନ୍ତିହୋମ ସମାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କୋଳିସାହି ଯାତ୍ରା କମିଟି ପରିଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )