ବେଲଗୁଣ୍ଠା, ୦୯/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତନରଡ଼ା ଗ୍ରାମ ରୋଡ଼ ସାହିର ରାଜେଶ କୁମାର ବେହେରା।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଦିନ ବେଲଗୁଣ୍ଠା ଥାନାର ଏସ୍ଆଇ ସୁକାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ତନରଡ଼ା, ନୂଆଗାଁ ଓ ଧୁମଛାଇ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ରାଜେଶ କୁମାର ବେହେରା ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟସ୍ଥ ଏକ ଘରେ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଅଭିଯୁକ୍ତ ଦେଶୀନଳୀ ବନ୍ଧୁକ ସଫା କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ତଲାସି ବେଳେ ଆଉ ଗୋଟିଏ ଦେଶୀ ପିସ୍ତଲ, ୧୧ଟି ଛରା ଓ ଗୋଟିଏ ରାମ୍ରଡ୍ ଜବତ କରାଯାଇଥିଲା। ଅସ୍ତ୍ରଶସ୍ତ୍ର ରଖିବା ସମ୍ପର୍କରେ ସେ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ପୁଲିସ କହିଛି।ଅଭିଯୁକ୍ତ ବନ୍ୟଜନ୍ତୁ ଶିକାର କରିବା ସହ ମାଂସ, ଶିଙ୍ଗ ଓ ଚମଡ଼ାର ବେଆଇନ ବ୍ୟବସାୟରେ ସମ୍ପୃକ୍ତ ଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ଏତଲାରେ ଉଲ୍ଲେଖ ରହିଛି। ଏହି ଘଟଣାରେ ବେଲଗୁଣ୍ଠା ଥାନାରେ କେସ୍ ନଂ ୫୫୯/୨୦୨୬, ଅସ୍ତ୍ର ଆଇନର ଧାରା ୨୫(୧-ବି)(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଭଞ୍ଜନଗର ଏସ୍ଡିଜେଏମ୍ ଅଦାଲତକୁ ଚାଲାଣ କରାଯାଇଛି। ଏସ୍ଆଇ ସବ୍ୟସାଚୀ ପରିଡ଼ା ଘଟଣାର ତଦନ୍ତ କରୁଛନ୍ତି।
ରିପୋର୍ଟ -ସୁଶାନ୍ତ କୁମାର ବେହେରା