ବେଲଗୁଣ୍ଠା,୧୨/୦୨(ପିପିଟି): ଦୈନନ୍ଦିନ ଜୀବନରେ ଗମନାଗମନ ପାଇଁ ଦୁଇ ଚକିଆ ହେଉ କି ଚାରି ଚକିଆ ,ଯାନର ବ୍ୟବହାର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଏ ପରିକି ପ୍ରତ୍ୟେକ ପରିବାରରେ ମୋଟରସାଇକଲ ଟିଏ ନିଶ୍ଚିତ ଭାବରେ ରହିଥିବା ଦେଖାଯାଏ ।କିନ୍ତୁ ବର୍ତ୍ତମାନର ପେଟ୍ରୋଲ ଦର ମଧ୍ୟବିତ୍ତ ପରିବାର ପାଇଁ ବ୍ୟୟସାପେକ୍ଷ ହେବ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।ଏପରି ସ୍ଥଳେ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ରେ ଥିବା ଏକମାତ୍ର ପେଟ୍ରୋଲ ପମ୍ପ ରେ ଆଖପାଖ ସବୁ ଅଞ୍ଚଳର ପେଟ୍ରୋଲ ପମ୍ପ ରେ ନିର୍ଧାରିତ ଦରଠାରୁ ଏକ ଟଙ୍କା ଅଧିକ ହୋଇଥିବା ନେଇ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ମିଳିଥିବା ସୂଚନା ଅନୁସାରେ, ବେଲଗୁଣ୍ଠା ସ୍ଥିତ ପେଟ୍ରୋଲ୍ ପମ୍ପ ରେ ପେଟ୍ରୋଲ ଲିଟର ପିଛା ଟ ୧୦୪.୩୯ ପଇସା ଥିବା ବେଳେ ଭଞ୍ଜନଗର,ଗାଙ୍ଗପୁର,ଜିଲୁଣ୍ଡି , ବାଲିପଦର,ଷୋଳମାଇଲି,ବୁଗୁଡା ପ୍ରଭୃତି ସ୍ଥାନରେ ବେଲଗୁଣ୍ଠା ଠାରୁ ପ୍ରାୟ ଏକଟଙ୍କା କମ୍ ଅର୍ଥାତ ଟ୧୦୩.୩୯ ପଇସା ପାଖାପାଖି ରହିଛି । ପରିବହନ ଖର୍ଚ୍ଚ ହିସାବରେ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରାୟ ୧୦ ରୁ ୨୫ ପଇସା ପର୍ଯ୍ୟନ୍ତ ଦରରେ ବିଭିନ୍ନତା ଦେଖାଯାଏ ।କିନ୍ତୁ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ପେଟ୍ରୋଲ ପମ୍ପରେ ୧ ଟଙ୍କା ଦର ଅଧିକ ରହିଥିବା ଏବଂ ଦୈନିକ ପ୍ରାୟ୭୦୦୦ ରୁ ୧୦୦୦୦ ଲିଟର ତେଲ ବିକ୍ରି ହେଉଥିବା ବେଳେ ପ୍ରତି ଲିଟର ୧ ଟଙ୍କା ହିସାବରେ ହଜାର ହଜାର ଟଙ୍କା ଗ୍ରାହକଙ୍କୁ ଶୋଷୁଥିବା ନେଇ ଅଭିଯୋଗ ହୋଇଛି ।ଏପରିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ପମ୍ପରେ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ମେସିନ ଦ୍ୱାରା ଟଙ୍କା ପୈଠ ସୁବିଧା ରହିବା ଆବଶ୍ୟକ ଥିବା ବେଳେ ଏଠାରେ କେବଳ ନଗଦ କାରବାର ଏବଂ ଡିଜିଟାଲ କାରବାର ରହିଛି । କାର୍ଡ ଗ୍ରହଣ ନ କରୁଥିବା ରୁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଧାରୀ ମାନେ ତେଲ ପକାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଇଛି । ଏ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ପ୍ରତିକ୍ରିୟା ନେବାରୁ ସେ ଏ ନେଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ପ୍ରକାଶ ଥାଉ କି ଏହି ପମ୍ପଟି ପ୍ରଥମେ ଏସାର୍ କମ୍ପାନୀ ର ଥିବା ବେଳେ ବର୍ତ୍ତମାନ ନୟାରା ନାମରେ ନାମିତ ହୋଇଛି । ଏ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଖାଉଟି ଦାବି କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )