ବେଲଗୁଣ୍ଠା,୦୪/୦୪(ପିପିଟି):ଆଜି ବେଲଗୁଣ୍ଠା ଶାସନ ସାହି କର୍ତ୍ତା ଉପେନ୍ଦ୍ର ନାଥଙ୍କ ଗୃହ ସମ୍ମୁଖରେ ପଞ୍ଚୁଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ମହାମିଳନରେ ବେଲଗୁଣ୍ଠା, ବେଲଗୁଣ୍ଠା ଖଦାଳ ସାହି, ଏ. କରଡ଼ାବାଡ଼ି,ବଣ ପଲ୍ଲୀ ଏବଂ ଗାମୁଣ୍ଡି ଗ୍ରାମର ଦଣ୍ଡପୁଞ୍ଜା ଅଂଶ୍ରଗହଣ କରିଥିଲେ । ଆଜି ସକାଳ ସାତ ଘଣ୍ଟ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ରୀତିନୀତି ମୁତାବକ ଠାକୁରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ଏବଂ ପାଣି ଦଣ୍ଡ ଅନୁଷ୍ଠିତ ହୋଇଥିଲା । ଏହାପରେ ଅପରାହ୍ଣରେ ପଞ୍ଚୁ ଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଥିଲା I ମହା ମିଳନ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ପରେ ଠାକୁରଙ୍କର ନଗର ପରିକ୍ରମା ଏବଂ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିଲା । ମଧ୍ୟ ରାତ୍ରରେ ପ୍ରସାଦ ସେବନ ପରେ ପ୍ରତ୍ୟେକ ଦଣ୍ଡ ପୁଞ୍ଜା ତରଫରୁ ଭାରତଲୀଳା ଅନୁଷ୍ଠିତ ହୋଇଥିଲା । ବେଲଗୁଣ୍ଠାର ବହୁ ଜନ ସାଧାରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା