କୋଦଳା,୦୧/୦୭(ପିପିଟି):ଜୁଲାଇ ଏକ ଠାରୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା । ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ । ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ ଏଭିଡେନ୍ସ ଆକ୍ଟ । ଏହି ସମ୍ବନ୍ଧୀୟ ଏକ ସଚେତନତା ବୈଠକ ସୋମବାର ଅପରାହ୍ନ ୧.୩୦ ସମୟରେ ବେଗୁନିଆପଡା ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜା ବ୍ୟବସ୍ଥା ରହିଛି । କେହି ଦେଶର ଏକତା,ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବାର ବ୍ୟବସ୍ଥା ରହିଛି । କେବଳ ଦଣ୍ଡବିଧାନ ବ୍ୟବସ୍ଥା ନୁହେଁ, ନୂଆ ଆଇନରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ଠୁ ନେଇ କୋର୍ଟ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ,ପୂରା ବ୍ୟବସ୍ଥାରେ ଆମୂଳଚୂଳ ସଂସ୍କାର ଆସିଛି ।
ଏଥିସହ ହତ୍ୟା, ଦୁଷ୍କର୍ମ, ଏସିଡ୍ ଆଟାକ, ମାନବଚାଲାଣ, ଡ୍ରଗ୍ସ ଓ ଶିଶୁଙ୍କୁ ଯୌନ ଶୋଷଣ ଆଦି ମାମଲାର ଅଭିଯୁକ୍ତଙ୍କୁ ହାତକଡ଼ି ପକାଇହେବ। ଜଣେ ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫ୍ଆଇଆର୍ ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବେ। ୧୫ ବର୍ଷରୁ କମ୍ ଶିଶୁ, ୬୦ ବର୍ଷରୁ ଅଧିକ ବୟସ୍କ,ଦିବ୍ୟାଙ୍ଗ ଓ ଗୁରୁତର ଅସୁସ୍ଥଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଘରେ ରହି ପୋଲିସ ସହାୟତା ପାଇପାରିବେ । ବୋଲି ବେଗୁନିଆପଡା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ନିଜ ବକ୍ତବ୍ୟରେ କହିଛନ୍ତି । ବ୍ରିଟିଶ ଅମଳର ଏହି ଫୌଜଦାରୀ ଆଇନ ବଦଳରେ ୩ ନୂଆ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଗତ ଡିସେମ୍ବରରେ ବାଜିଥିଲା ରାଷ୍ଟ୍ରପତିଙ୍କ ମୋହର। ଆଜିଠାରୁ ଏହାକୁ ଲାଗୁ କରାଯାଇଛି ବୋଲି ଏସ.ଆଇ ଟୁନା ପୀଡ଼ିକା ଓ ଏ.ଏସ.ଆଇ ଜଗଦିଶ ପଣ୍ଡା କହିଥିଲେ। ଏଥିରେ ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ସନ୍ତୋଷ କୁମାର ପାତ୍ର,ଏଏସଆଇ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)