ବେଗୁନିଆପଡା,୧୧/୦୨(ପିପିଟି):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ବେଗୁନିଆପଡା ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵାଗତିକା ରାଉତଙ୍କ ତତ୍ୱାବଧାନରେ ସ୍ଥାନୀୟ ବାପୁଜୀ ଷ୍ଟାଡିୟମରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ବିଡ଼ିଓ ଦିବ୍ୟ ରଞ୍ଜନ ବିଶ୍ୱାଳ,ଏବିଡ଼ିଓ ନିରଞ୍ଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଯୋଗଦେଇ ଖେଳର ମହତ୍ୱ,ଖେଳିବା ଦ୍ୱାରା ଶାରୀରିକ ମାନସିକ ବିକାଶ ହୋଇଥାଏ,ଭିନ୍ନକ୍ଷମ ମାନେ ମଧ୍ୟ କୌଣସି ଗୁଣରେ କମ ନୁହନ୍ତି , ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ କହିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରନିଙ୍ଗ,ଜାଭିଲିୟନ, ହୁଇଲ ଚେୟାର, ମ୍ୟୁଜିକ ଚେୟାର, ଆଦି ୨୦ ଗୋଟି କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ବେଗୁନିଆପଡା ବ୍ଲକରୁ ୮୧ ଜଣ ଦିବ୍ୟାଙ୍ଗ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ବୁଧବାର ଓ ଗୁରୁବାର ଦୁଇ ଦିନ ଅନୁଷ୍ଠିତ ହେବ। କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହ ପୁରସ୍କୃତ କରାଯିବ ।ବ୍ଲକ କର୍ମଚାରୀ ଓ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏଥି ସହିତ ଏଠାରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ୨୪୪ ହିତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରିଥିଲେ ବିଧାୟକ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)