କୋଦଳା,୨୯/୦୧(ପିପିଟି): ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନିକଟ ଖଣ୍ଡିଆନଈ ନିକଟସ୍ଥ ଟିଭିଏସ ସୋରୁମ ଠାରୁ ବେଗୁନିଆପଡା ଶେଷରେ ଥିବା ପବନ ତନୟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵ ଜବରଦଖଲ ରେ ଥିବା ସରକାରୀ ଜାଗା ଚିହ୍ନଟ ଆରମ୍ଭ ହୋଇଯାଇଛି । ବେଗୁନିଆପଡା ହେଉଛି ଏକ ଜନ ଗହଳି ବଜାର ହୋଇଥିବା ବେଳେ ପ୍ରତ୍ୟେକ ଦିନ ଏଠାକୁ ୧୫ ରୁ ୧୭ ପଞ୍ଚାୟତର ହଜାର ହଜାର ଲୋକ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମାନ କିଣିବା ପାଇଁ ସମାଗମ ହେଉଥିବା ଦେଖିବାକୁ ମିଳେ। କିନ୍ତୁ ମୁଖ୍ୟ ରାସ୍ତାଟି ଜବରଦଖଲ ହେତୁ ସମ୍ପୂର୍ଣ ତୋକଡ଼ ହୋଇଯାଇଥିବାରୁ ଗାଡି ମୋଟର ଓ ଲୋକଙ୍କ ଗହଳି ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣା ମଧ୍ୟ ସୃଷ୍ଟି ହୋଇଥିବା ନଜିର ରହିଛି । ଏହାକୁ ନେଇ ବହୁଥର ଜନସାଧାରଣଙ୍କ ଅଭିଯୋଗ ହୋଇ ଆସୁଥିଲା,ପ୍ରଶାସନ ପକ୍ଷରୁ ଚିହ୍ନଟ କାର୍ଯ୍ୟ ବି ହୋଇଥିଲା କିନ୍ତୁ କୌଣସି କାର୍ଯ୍ୟ ଫଳପ୍ରଦ ହୋଇନଥିଲା । ଆଜି ଏ ସବୁକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ ସହ ଡ୍ରେନ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି । ଖଣ୍ଡିଆନଈ ଠାରୁ ବେଗୁନିଆପଡା ପର୍ଯ୍ୟନ୍ତ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଜାଗା ଚିହ୍ନଟ କରାଯାଇଛି । ଏଥିରେ ପୂର୍ତ୍ତ ବିଭାଗ ଏସ ଡି ଓ ନିର୍ମଳ ବେହେରା, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ, ରାଜସ୍ବ ବିଭାଗ ସୁପରଭାଇଜର ସଞ୍ଜୟ କୁମାର ସାହୁ, କେ. ବରିଡା ଆର ଆଇ ଲକ୍ଷ୍ମୀଶ୍ରୀ ମହାରଣା, ମର୍ଦ୍ଦକୋଟ ଆର.ଆଇ. ସନ୍ଦୀପ କୁମାର ମଲ୍ଲିକ, ଫାଶୀ ଆର ଆଇ ନାରାୟଣ କାର୍ଜି, ସୁମଣ୍ଡଳ ଆର ଆଇ ଜଗମୋହନ ନାୟକଙ୍କ ସମେତ ପୂର୍ତ୍ତ ବିଭାଗ କର୍ମଚାରୀ ଓ ରାଜସ୍ବ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ରାସ୍ତା ନିର୍ମାଣ ପାଇଁ ବହୁଥର ଚିହ୍ନଟ କରି ଚେଷ୍ଟା କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନଥିବା ବେଳେ ବର୍ତ୍ତମାନ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ