ନୀଳଗିରି,୧୦/୧୧: ସ୍ୱାମୀ ଘରେ ନଥିବା ସୁଯୋଗରେ ଜଣେ ଯୁବକ ମହିଳାଙ୍କ ବେକରେ କଟୁରୀ ଲଗାଇ ବଳାତ୍କାର କରିବା ଘଟଣା ଅଞ୍ଚଳରେ କ୍ଷୋଭ ସୃଷ୍ଟି କରିଛି । ବାଲେଶ୍ୱର ଜିଲ୍ଲା, ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତରେ ଏଭଳି ଅଭିଯୋଗ ଆସିଛି । ଉକ୍ତ ପଞ୍ଚାୟତରେ ଥିବା ଏକ ଗାଁରେ ଜଣେ ଆଦିବାସୀ ମହିଳା ତା’ କୁନି ପିଲାକୁ ଧରି ରାତିରେ ଘରେ ଶୋଇଥିଲେ । ସ୍ୱାମୀ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଜାଣି ସେହି ଗାଁର ଆକାଶ ବିନ୍ଧାଣୀ ନାମକ ଯୁବକ ଘରେ ପଶି ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣକ ଏଥିରେ ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ବେକରେ କଟୁରୀ ଲଗାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି କଥା କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ସ୍ୱାମୀ ଘରକୁ ଫେରିବା ପରେ ମହିଳା ଜଣକ କାନ୍ଦି କାନ୍ଦି ସମସ୍ତ ଘଟଣା କହିବା ପରେ ଏନେଇ ଗାଁରେ ବୈଠକ ହୋଇଥିଲା । ହେଲେ ଅଭିଯୁକ୍ତ ଜଣକ ଉକ୍ତ ବୈଠକକୁ ନଆସି ଓଲଟା ଧମକ ଚମକ ଦେଇଥିଲା । ଏନେଇ ପୀଡ଼ିତା ଜଣକ ଆଜି ନୀଳଗିରି ଥାନାରେ ରିପୋର୍ଟ ଦେଇଛନ୍ତି । ସେପଟେ ସମାନ ରାତିରେ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କ ସ୍ୱାମୀ କୁଆଡ଼େ ଅଭିଯୁକ୍ତର ସ୍ତ୍ରୀକୁ ଅସଦାଚରଣ କରିଥିବା ନେଇ ମଧ୍ୟ ଏକ ପାଲଟା ଏତଲା ଦାଏର କରାଯାଇଛି। ପୁଲିସ ଉକ୍ତ ଘଟଣାରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି।