ବେଆଇନ ଗୋ ଚାଲାଣରେ ୨ ଗିରଫ,୧୪ ଗୋ ସଂପଦ ଉଦ୍ଧାର ।

ମାଲକାନଗିରି, ୨୭/୦୬(ପିଫିଟି):ମାଲକାନଗିରି ଜିଲ୍ଲାର ଓର୍କେଲ ଥାନା ପୋଲିସ ବେଆଇନ ଗୋରୁ ଚୋରାଚାଲାଣ ସମୟରେ ୧୪ ଗୋ ସଂପଦ ଉଦ୍ଧାର କରିଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗତ କାଲି ସନ୍ଧ୍ୟାରେ ସୁରୁଲୁକୋଣ୍ଡା ବ୍ୟାରେଜ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ୧୪ଟି ଗୋର ସଂପଦ ଉଦ୍ଧାର କରିଥିଲା। ତନ୍ମଧ୍ୟରୁ ୯ଟି ଗାଈ, ୪ଟି ବଳଦ ଓ ଗୋଟିଏ ବାଛୁରୀ ରହିଛି।

ଓର୍କେଲ ଥାନାର ଏଏସଆଇ ସୁରେଶ ଚନ୍ଦ୍ର ବିସିମାଝିଙ୍କ ଏତଲା ଅନୁଯାୟୀ, ତାଙ୍କ ସହ ଏଚ୍.ସି. ଶଙ୍କର ଚନ୍ଦ୍ର ଦାସ, କନଷ୍ଟେବଲ ମମତା ମଜୁମଦାର ଓ ହୋମଗାର୍ଡ ସୁନାଧର ଖିଲ ପାଟ୍ରୋଲିଂରେ ସାମିଲ ଥିଲେ। ସେହି ସମୟରେ ଗୋରୁଗୁଡ଼ିକୁ ଦଉଡ଼ିରେ ବାନ୍ଧି ନିଆଯାଉଥିବା ଦେଖି ସେମାନଙ୍କୁ ଅଟକା ଯାଇଥିଲା। ପ୍ରାଥମିକ ପଚରାଉଚରା ବେଳେ ଅଜୟ ବାରିକ (ପାୱାର ହାଉସ ଛକ, ବାଲିମେଳା) ଓ ଆନନ୍ଦ ଡାଙ୍ଗିରି (ମେଡିକାଲ ସାହି, ଓର୍କେଲ) ନିଜର ପରିଚୟ ଦେଇଥିଲେ। ସେମାନଙ୍କ ପାଖରେ ଗୋରୁ ପରିବହନ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ନଥିଲା। ଗୋରୁଗୁଡ଼ିକୁ ଖାଦ୍ୟ ଓ ପାଣି ବିନା ନିଷ୍ଠୁର ଭାବରେ ବାନ୍ଧି ନିଆଯାଉଥିବା ମଧ୍ୟ ପୋଲିସ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରାଥମିକ ତଦନ୍ତରେ ଗୋରୁଗୁଡ଼ିକ ଚିତାପାରି-୩ ଓ ନିକଟବର୍ତ୍ତୀ ଅଞ୍ଚଳରୁ ଚୋରି କରାଯାଇ ତେଲେଙ୍ଗାନାର ହାଇଦ୍ରାବାଦ ମାର୍ଗ ଦେଇ ଆନ୍ଧ୍ର ପ୍ରଦେଶରେ ବିକ୍ରି ପାଇଁ ନିଆଯାଉଥିବା ସନ୍ଦେହ କରାଯାଇଛି। ଏହି ଘଟଣାରେ ଓର୍କେଲ ଥାନାରେ ଭାରତୀୟ ନ୍ୟାୟ ସଂହିତା -୨୦୨୩ ଧାରା ୩୦୩(୨) ଓ ୩୦୩(୫) ସହ ପଶୁଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ, ୧୯୬୦ର ଧାରା ୧୧(୧)(ଏ) ଓ ୧୧(୧)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି।ପରବର୍ତ୍ତୀ ତଦନ୍ତରେ କୋଣ୍ଡାଗୁଡ଼ା ଗ୍ରାମର ବିକାଶ ଖିଲ ଓ ଅର୍ଜୁନ ଖିଲଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଓର୍କେଲ ଥାନାର ଏଏସଆଇ ଧନଞ୍ଜୟ ମୁର୍ମୁ କରୁଥିବା ବେଳେ ଗୋରୁ ଚୋରାଚାଲାଣରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି। ଜବତ ହୋଇଥିବା ସମସ୍ତ ୧୪ଟି ଗୋରୁକୁ ମାଲକାନଗିରି ପୌରପାଳିକା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ମାଲକାନଗିରି କାଞ୍ଜିଆଘର (ଗୋଶାଳା)କୁ ପଠାଯାଇଛି। ଗୋରୁଗୁଡ଼ିକର ପ୍ରକୃତ ମାଲିକଙ୍କ ସନ୍ଧାନ ଓ ଘଟଣାର ସମସ୍ତ ଦିଗକୁ ନେଇ ଓର୍କେଲ ଥାନା ପୋଲିସ ତଦନ୍ତ ଜାରି ରଖିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment