ବେଆଇନ ଇଟା ଭାଟି ଭାଙ୍ଗିଲା ପ୍ରଶାସନ ।

ଭଞ୍ଜନଗର,୦୯/୦୨(ପିପିଟି):ଆଗକୁ ଆସୁଛି ଗ୍ରୀଷ୍ମଋତୁ ତେଣୁ ଇଟାଭାଟି ଗୁଡ଼ିକ ଯୋଗୁଁ ପ୍ରଦୂଷଣ ସହ ତାପମାତ୍ରା ପରିମାଣରେ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଯାନୀ ଆଜି ପୁଲିସ ଫୋର୍ସ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଇଟାଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଭାବେ ବହୁ ଇଟାଭାଟି ସବୁ ଗଢ଼ି ଉଠିଥିଲା। ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଏବଂ ସରକାରୀ ନିୟମ କାନୁନକୁ ଉଲ୍ଲଂଘନ କରି ବ୍ୟବସାୟ ପାଇଁ ଇଟା ନିର୍ମାଣ ଚାଲିଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରାଜ୍ୟରେ ମାଟି ତିଆରି ଇଟା ଭାଟି ଉପରେ ନିଷେଧାଦେଶ ଜାରି କରିଛନ୍ତି। କେବଳ ଫ୍ଲାଇ ଆସରେ ଇଟା ନିର୍ମାଣକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଇଟାର ଚାହିଦା ମେଣ୍ଟାଇବା ପାଇଁ ଫ୍ଲାଇ ଆସ ଇଟା ନିର୍ମାଣକୁ ସରକାର ପ୍ରୋତ୍ସାହନ ଦେବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହା ପୂର୍ବରୁ ଜନବସତି ଠାରୁ ୧କିଲୋମିଟର ଏବଂ ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାର ୫ଶହ ମିଟର ମଧ୍ୟରେ ଇଟାଭାଟି ସ୍ଥାପନ ଉପରେ ସରକାର କଟକଣା ଜାରି କରିବା ସହିତ କେବଳ ସ୍ଥାୟୀ ଚିମିନି ଥିବା ଇଟାଭାଟି ସ୍ଥାପନ ପାଇଁ ଆଇନ ପ୍ରଣୟନ କରିଛନ୍ତି। ବେଆଇନ ଇଟାଭାଟି ବୃଦ୍ଧି ପାଉଥିବାରୁ ସରାକାରଙ୍କ ରାଜସ୍ୱ ହାନୀ ହେଉଛି। ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ତହସିଲଦାର ଶ୍ରୀ ଯାନୀ କହିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment