ବୃତ୍ତି ହିଁ ପରିବାରର ଭରସା, ମୂର୍ତ୍ତି ଗଢ଼ି ପରିବାର ପୋଷୁଛନ୍ତି ପଦ୍ମିନୀ ।

ଯାଜପୁର,୦୯/୦୯(ପିପିଟି): ଆଗକୁ ଆସୁଛି ପାର୍ବଣର ଋତୁ। ଦୁର୍ଗାପୂଜା, ଗଣେଶ ପୂଜା, ବିଶ୍ୱକର୍ମା ପୂଜା ସମେତ ବିଭିନ୍ନ ପର୍ବପର୍ବାଣୀକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମୂର୍ତ୍ତି କାରିଗରଙ୍କ ପଡ଼ା। ଦିନରାତି ଏକ କରି ମାଟିରେ ନିଜ କଳା ଓ ପରିଶ୍ରମର ଛାପ ଦେଇ ଚାଲିଛନ୍ତି କାରିଗରମାନେ। ସେହି କାରିଗରଙ୍କ ମଧ୍ୟରେ ଜଣେ ମହିଳା ମୂର୍ତ୍ତି କାରିଗର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମର ପଦ୍ମିନୀ ରଣା।

ଖୁଦୁରୁକୁଣୀ ଓଷାଠାରୁ ଆରମ୍ଭ କରି ଗଣେଶ ଓ ବିଶ୍ୱକର୍ମା ପୂଜା ପର୍ଯ୍ୟନ୍ତ ବିଭିନ୍ନ ପର୍ବପର୍ବାଣୀ ପାଇଁ ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢ଼ୁଛନ୍ତି ପଦ୍ମିନୀ। ମାଟିକୁ ନିଜ ହାତର ସ୍ପର୍ଶରେ ଜୀବନ୍ତ ରୂପ ଦେବାରେ ସେ ବେଶ୍ ନିପୁଣ। ପିଲାଦିନରୁ ହିଁ ମୂର୍ତ୍ତି କଳା ପ୍ରତି ତାଙ୍କର ରହିଥିଲା ଗଭୀର ଆଗ୍ରହ। ବାପାଙ୍କୁ ମୂର୍ତ୍ତି ଗଢ଼ୁଥିବା ଦେଖି ସେ ଏହି କଳା ପ୍ରତି ଆକର୍ଷିତ ହୋଇଥିଲେ। ଛୋଟବେଳୁ ବାପାଙ୍କୁ ମୂର୍ତ୍ତି ତିଆରିରେ ସହଯୋଗ କରି କରି ଧୀରେ ଧୀରେ ନିଜେ ଜଣେ ଦକ୍ଷ କାରିଗର ଭାବେ ଗଢ଼ି ଉଠିଥିଲେ।

ବିବାହ ପରେ ଗୃହିଣୀ ଭାବେ ଜୀବନ କାଟିବା ବଦଳରେ ନିଜ କଳାକୁ ଆଧାର କରି ପରିବାରର ଭରଣପୋଷଣ କରିବାର ରାସ୍ତା ବାଛିଛନ୍ତି ପଦ୍ମିନୀ। ପରିବାରର ସହଯୋଗ ଓ ନିଜର ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଏହି ବୃତ୍ତିରେ ଆଗକୁ ବଢ଼ିବାର ସାହସ ଦେଇଛି। ଆଜି ମୂର୍ତ୍ତି ଗଢ଼ିବା ହିଁ ତାଙ୍କ ପରିବାର ପୋଷଣର ମୁଖ୍ୟ ମାଧ୍ୟମ ପାଲଟିଛି।
ପଦ୍ମିନୀ ରଣା କୁହନ୍ତି

ବିବାହ ପରେ ଦେଉଳି ଗ୍ରାମରେ ସ୍ୱାମୀ ସୋମନାଥ ରଣା ଓ ଝିଅଙ୍କ ସହ ଏକ ଭଡ଼ା ଘରେ ରହୁଛନ୍ତି ପଦ୍ମିନୀ। ଘରର ଗୋଟିଏ ପାର୍ଶ୍ୱରେ କଞ୍ଚାମାଲ ଗଚ୍ଛିତ ରଖି ଦିନରାତି ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ ରହୁଛନ୍ତି। ମୂର୍ତ୍ତି ଗଢ଼ିବାରେ ପଦ୍ମିନୀ ନିଜେ ପାରଙ୍ଗମ ହୋଇଥିଲେ ମଧ୍ୟ ଏହି କାମରେ ସ୍ୱାମୀ ମଧ୍ୟ ତାଙ୍କୁ ସହଯୋଗ କରିଥାନ୍ତି।

ନିଜର ନିଆରା କଳାକୃତି ଓ ସୁନ୍ଦର ମୂର୍ତ୍ତି ପାଇଁ ଧୀରେ ଧୀରେ ବଢ଼ିଛି ତାଙ୍କ ଚାହିଦା। ବିଭିନ୍ନ ପର୍ବପର୍ବାଣୀ ସମୟରେ ଯାଜପୁର ଜିଲ୍ଲା ସମେତ ଜିଲ୍ଲା ବାହାରୁ ମଧ୍ୟ ତାଙ୍କ ପାଖକୁ ଆସୁଛି ଆଗୁଆ ବରାଦ। ମୂର୍ତ୍ତି ତିଆରି କରିବାରେ ଦିନରାତି ପରିଶ୍ରମ କରୁଥିବା ପଦ୍ମିନୀଙ୍କ ପାଇଁ ବଢ଼ୁଥିବା ମହଙ୍ଗା ବଜାର ମଧ୍ୟରେ ପରିବାର ଚଳାଇବା ଏକ ବଡ଼ ଚ୍ୟାଲେଞ୍ଜ। ତଥାପି ନିଜ କଳା ଓ ବୃତ୍ତିକୁ ଛାଡ଼ି ନଦେଇ ସଂଘର୍ଷ ଜାରି ରଖିଛନ୍ତି ସେ।

ବିବାହ ପରେ ପରିବାରର ଭରଣପୋଷଣ ପାଇଁ ମୂର୍ତ୍ତି କାରିଗର ଭାବେ ନିଜକୁ ନିୟୋଜିତ କରିଥିବା ପଦ୍ମିନୀଙ୍କୁ ଏଯାଏଁ ମିଳିନାହିଁ ଆବଶ୍ୟକୀୟ ସରକାରୀ ସହାୟତା। ଯଦି ସରକାରଙ୍କ ପକ୍ଷରୁ ତାଙ୍କୁ ଆବଶ୍ୟକ ସହାୟତା, ଆର୍ଥିକ ସହଯୋଗ ଓ କାରିଗରୀ ସୁବିଧା ଯୋଗାଇ ଦିଆଯାଏ, ତେବେ ପଦ୍ମିନୀ ନିଜର ପାରମ୍ପରିକ କଳାକୁ ଆହୁରି ସମୃଦ୍ଧ କରିବା ସହ ଏହି ବୃତ୍ତିରେ ଆଗକୁ ବଢ଼ିପାରିବେ। ତାଙ୍କ ଭଳି ମହିଳା କାରିଗରଙ୍କୁ ପ୍ରୋତ୍ସାହନ ମିଳିଲେ ମାଟି ମୂର୍ତ୍ତି ନିର୍ମାଣ ଭଳି ପାରମ୍ପରିକ କଳା ମଧ୍ୟ ବଞ୍ଚି ରହିବ।

Comments (0)
Add Comment