ବ୍ରହ୍ମପୁର,୦୭/୦୭(ପିପିଟି): ଦ୍ରୁତ ସହରୀକରଣ ସହ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଏକ ସାମାଜିକ ଓ ଜନସ୍ୱାସ୍ଥ୍ୟ ଗତ ଚ୍ୟାଲେଞ୍ଜରେ ପରିଣତ ହୋଇଥିବାବେଳେ,ଏହାର ସ୍ଥାୟୀ ଓ ମାନବିକ ସମାଧାନ ଦିଗରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଚଳିତ ବର୍ଷ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ବୁଲା କୁକୁର ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ ଅଭିଯାନରେ ୧୬୫ ଦିନ ମଧ୍ୟରେ ୨୫୮୬ଟି କୁକୁରଙ୍କ ବନ୍ଧ୍ୟାକରଣ ସଫଳତାର ସହ ସମ୍ପନ୍ନ ହୋଇଛି। ସେଥିମଧ୍ୟରୁ ୧୪୦୮ଟି ପୁରୁଷ ଓ ୧୧୭୮ଟି ମହିଳା କୁକୁର ରହିଛନ୍ତି। ଏହା ସମୁଦାୟ ଲକ୍ଷ୍ୟର ପ୍ରାୟ ୪୯ ପ୍ରତିଶତ।
ବିଏମ୍ସି ସୂତ୍ରରୁ ପ୍ରକାଶ ଯେ, ପ୍ରତ୍ୟେକ କୁକୁରଙ୍କ ବନ୍ଧ୍ୟାକରଣ ପରେ ସେମାନଙ୍କୁ ୩ରୁ ୪ ଦିନ ପର୍ଯ୍ୟନ୍ତ ପଶୁ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରଖାଯାଇ ଆବଶ୍ୟକ ଚିକିତ୍ସା ଓ ପରିଚର୍ଯ୍ୟା କରାଯାଉଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ଯେଉଁ ଅଞ୍ଚଳରୁ ଧରାଯାଇଥିଲା ସେହି ସ୍ଥାନରେ ପୁନର୍ବାର ଛାଡ଼ି ଦିଆଯାଉଛି। ଏହି ପ୍ରକ୍ରିୟା ପ୍ରାଣୀ କଳ୍ୟାଣ ସହ ସହରର ପରିବେଶ ସନ୍ତୁଳନ ବଜାୟ ରଖିବାରେ ମଧ୍ୟ ସହାୟକ ହେଉଛି।
ପୂର୍ବ ସର୍ଭେ ଅନୁସାରେ ବ୍ରହ୍ମପୁର ସହରରେ ପ୍ରାୟ ୫,୩୦୦ରୁ ଅଧିକ ବୁଲା କୁକୁର ଥିବା ଆକଳନ କରାଯାଇଥିଲା। ସେହି ଅନୁଯାୟୀ ଏକ ବର୍ଷ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସମ୍ପନ୍ନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନର ଅଗ୍ରଗତିକୁ ଦେଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲକ୍ଷ୍ୟ ପୂରଣ ହେବ ବୋଲି ପ୍ରଶାସନ ଆଶାବାଦୀ ରହିଛି।
ମେୟର ସଂଘମିତ୍ରା ଦଳେଇ କହିଛନ୍ତି ଯେ, ବୁଲା କୁକୁରଙ୍କୁ କ୍ଷତି ନ ପହଞ୍ଚାଇ ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ ଭଳି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବା ହିଁ ଏହି ସମସ୍ୟାର ସ୍ଥାୟୀ ସମାଧାନ। ବିଇଏମ୍ସି କମିଶନର ଏ. ଶସ୍ୟା ରେଡ୍ଡୀ କହିଛନ୍ତି ଯେ, ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ କେବଳ କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣରେ ସହାୟକ ନୁହେଁ, ବରଂ ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ମଣିଷ ଓ ପଶୁ ସହାବସ୍ଥାନକୁ ସୁଦୃଢ଼ କରିବାରେ ମଧ୍ୟ ଏହା ଏକ ଫଳପ୍ରଦ ପଦକ୍ଷେପ। ଏହି ଅଭିଯାନର ସଫଳତା ପାଇଁ ସହରବାସୀଙ୍କ ସଚେତନ ସହଯୋଗ ଓ ସକାରାତ୍ମକ ଭୂମିକା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।
ପଶୁ ଚିକିତ୍ସା ବିଶେଷଜ୍ଞ ଡ଼. ସତ୍ୟନାରାୟଣ କରଙ୍କ ମତରେ, ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ ସବୁଠାରୁ ବୈଜ୍ଞାନିକ,ମାନବିକ ଓ ଦୀର୍ଘସ୍ଥାୟୀ ଉପାୟ। ଏହାଦ୍ୱାରା ଏକପଟେ କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହୁଥିବାବେଳେ ଅନ୍ୟପଟେ ରେବିସ୍ ସଂକ୍ରମଣର ଆଶଙ୍କା ମଧ୍ୟ ହ୍ରାସ ପାଏ। ତେଣୁ ବିଏମ୍ସିର ଏହି ପଦକ୍ଷେପ ଜନସ୍ୱାସ୍ଥ୍ୟ, ପ୍ରାଣୀ କଳ୍ୟାଣ ଓ ସୁରକ୍ଷିତ ସହର ଗଠନ ଦିଗରେ ଏକ ପ୍ରଶଂସନୀୟ ପ୍ରୟାସ ବୋଲି ସେ କହିଛନ୍ତି।
ଯାଞ୍ଚ କମିଟି ପକ୍ଷରୁ ବନ୍ଧ୍ୟାକରଣ କେନ୍ଦ୍ର ପରିଦର୍ଶନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସଙ୍କ ସହ ଡ଼. ଭବାନୀ ଶଙ୍କର ଶତପଥୀ, ଡ଼. ସତ୍ୟନାରାୟଣ କର, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଆସିଷ୍ଟାଣ୍ଟ କମିଶନର ବିଭୂ ପ୍ରସାଦ ମହାପାତ୍ର, ରାଜ୍ୟ ପଶୁ କଳ୍ୟାଣ ବୋର୍ଡର ପ୍ରତିନିଧି ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଧ୍ୟାକରଣ ସମୟରେ ବାହାର କରାଯାଇଥିବା ଅଙ୍ଗଗୁଡ଼ିକୁ ନିର୍ଦ୍ଧାରିତ ଜୈବ-ବର୍ଜ୍ୟ ପରିଚାଳନା ନିୟମାବଳୀ ଅନୁଯାୟୀ ପୋତା ଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।