ବୁଲା କୁକୁରଙ୍କ ବନ୍ଧ୍ୟାକରଣ: ୧୬ ଦିନରେ ୨୬୭ ଅସ୍ତ୍ରୋପଚାର ।

ବ୍ରହ୍ମପୁର,୦୪/୦୨(ପିପିଟି): ବ୍ରହ୍ମପୁର ସହରରେ ବୁଲା କୁକୁର ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଆଶଙ୍କା ଓ ଅସନ୍ତୋଷ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ବୁଲା କୁକୁର ବଂଶ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏବିସି ପ୍ରୋଗ୍ରାମ) ସହରବାସୀଙ୍କ ମନରେ ଆଶ୍ୱସ୍ତି ଆଣି ଦେଇଛି।

ଗତ ଜାନୁଆରୀ ୧୬ ତାରିଖରୁ ମେୟର ସଂଘମିତ୍ରା ଦଳେଇ ଓ ବିଇଏମ୍‌ସି କମିଶନର ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ଆରମ୍ଭ ହୋଇ ଗତ ୧୬ ଦିନ ମଧ୍ୟରେ ସମୁଦାୟ ୨୮୪ଟି ବୁଲା କୁକୁରକୁ ଧରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୧୧ଟି ମାଈ ଓ ୧୫୬ଟି ପୁରୁଷ, ମୋଟ ୨୬୭ଟି କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି।

ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପରେ ଅପସାରଣ କରାଯାଇଥିବା ପୁନରୁତ୍ପାଦନ ଅଙ୍ଗଗୁଡ଼ିକର ସଠିକ୍ ଯାଞ୍ଚ ଓ ନିୟମାନୁସାରେ ବିନାଶ ପାଇଁ ଅଙ୍ଗ ଯାଞ୍ଚ ଓ ଅଙ୍ଗ ବିନାଶ କମିଟି ଗଠନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସ ଥିବା ବେଳେ, ଉପଖଣ୍ଡ ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅରବିନ୍ଦ ବେହେରା ଓ ରାଜ୍ୟ ପଶୁ କଳ୍ୟାଣ ବୋର୍ଡର ପ୍ରତିନିଧି ଲଲାଟେନ୍ଦୁ ଚୌଧୁରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ସଦସ୍ୟମାନଙ୍କ ଉପସ୍ଥିତିରେ ଯାଞ୍ଚ କାର୍ଯ୍ୟ ସମ୍ପାଦନ କରାଯାଇ,ପରେ ଉକ୍ତ ଅଙ୍ଗଗୁଡ଼ିକୁ ନିୟମାନୁସାରେ ପୋତା ଯାଇଥିବା ଜଣାପଡ଼ିଛି।

ଦୈନିକ ୨୦ରୁ ୨୫ଟି କୁକୁରଙ୍କୁ ଧରି ବନ୍ଧ୍ୟାକରଣ ସହ ଜଳାତଙ୍କ (ରେବିଜ୍) ଓ ଅନ୍ୟାନ୍ୟ ରୋଗ ପ୍ରତିରୋଧ ପାଇଁ ଟିକାକରଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ସହରର ୪୨ଟି ୱାର୍ଡ ମଧ୍ୟରୁ ୧୫ଟି ୱାର୍ଡରେ ଏହି ଅଭିଯାନ ଚାଲିଥିବା ବେଳେ,ହସ୍ପିଟାଲ,ଶିକ୍ଷାନୁଷ୍ଠାନ,ବଜାର ଓ ଭିଡ଼ଭାଡ଼ ଅଞ୍ଚଳଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି।

ବେଙ୍ଗାଳୁରୁ ସ୍ଥିତ ଏନିମାଲ ୱେଲଫେୟାର ଅର୍ଗାନାଇଜେସନ୍ (ଆଶ୍ରା) ନାମକ ଘରୋଇ ସଂସ୍ଥା ସହ ବିଇଏମ୍‌ସି ଚୁକ୍ତି କରି ସହରରେ ଥିବା ପ୍ରାୟ ୧୧ ହଜାରରୁ ଅଧିକ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ଲକ୍ଷ୍ୟ ନିଆଯାଇଛି। ପ୍ରତିମାସରେ ପାଖାପାଖି ୫ ଶହରୁ ୬ ଶହ କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅସ୍ତ୍ରୋପଚାର ପରେ କୁକୁରଙ୍କ କାନରେ ସ୍ୱତନ୍ତ୍ର ଚିହ୍ନ ଦିଆଯାଇ ୩ ଦିନ ପରେ ସେମାନଙ୍କୁ ପୁଣି ନିଜ ନିଜ ଅଞ୍ଚଳରେ ଛାଡ଼ି ଦିଆଯାଉଛି।

ଆଗାମୀ ୨ ବର୍ଷ ଧରି ଏହି ଅଭିଯାନ ଜାରି ରହିଲେ ସହରରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ସହ ଜଳାତଙ୍କ ରୋଗର ଆଶଙ୍କା ହ୍ରାସ ପାଇବ ବୋଲି ଆଶା କରାଯାଉଛି।ଅଭିଯାନ ସୁଚାରୁ ଭାବେ ଚାଲିଥିବାରୁ ସହରବାସୀ ସନ୍ତୋଷ ପ୍ରକାଶ କରିଛନ୍ତି।

Comments (0)
Add Comment