ବୁର୍ଲା ,୦୧/୦୪:ଶିକ୍ଷାର ନଗରୀ ବୁର୍ଲା ସହରରେ ଜାତିୟ ଗୌରବର ପ୍ରତୀକ ତଥା ଓଡ଼ିଶାର ମୌଡମଣି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ହୋଇଥିବା ଅଭିଯୋଗ ହୋଇଛି । ସହରର ଗୋପବନ୍ଧୁ ଛକରେ ସ୍ଥାପିତ ହୋଇଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ରାସ୍ତା ସମ୍ପ୍ରସାରଣ ଆଳରେ ଉଠାଇ ନେଇ ସ୍ଥାନୀୟ ଗୋପବନ୍ଧୁ ପାଠାଗାରର ଏକ କୋଣରେ ପ୍ରତିମୂର୍ତି ମୁହଁରେ ଲାଲ୍ କପଡା ବାନ୍ଧି ପକାଇ ରଖି ଦିଆ ଯାଇଛି । ମୂର୍ତି ପୁନଃ ସ୍ଥାପନ କରିବା ବଦଳରେ ଗୋଟିଏ କୋଠରୀ ମଧ୍ୟରେ ଏଭଳି ଅବସ୍ଥାରେ ମାସ ମାସ କାଳ ହେବ ପକାଇ ରଖିବା ଗୋପବନ୍ଧୁଙ୍କ ପ୍ରତି ଅସମ୍ମାନ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଏହାକୁ ସ୍ଥାନୀୟ ସଂଗଠନ, ରାଜନୈତିକ ଦଳ, ସ୍ଥାନୀୟ ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଏହାକୁ ତୀବ୍ର ନିନ୍ଦା କରି ଆସୁଛନ୍ତି । ବାରମ୍ବାର ମହାନଗର ନିଗମ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ। ବିଭିନ୍ନ ସମୟରେ ଏହି ପ୍ରତିମୂର୍ତ୍ତିରେ ଭିନ୍ନ ଭିନ୍ନ ସଂଙ୍ଗଠନ ତଥା ବୁଦ୍ଧିଜୀବୀ ତଥା ସଚେତନ ବର୍ଗ ତଥା ରାଜନୈତିକ ଦଳ ପକ୍ଷରୁ ମଧ୍ୟ ମାଲ୍ୟାର୍ପଣ କରାଯାଉଥିଲା । ମୁଖ୍ୟତଃ ଉତ୍କଳ ଦିବସ ଦିନ ଏହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଧୁମ୍ଧାମରେ ପାଳନ ହେଉଥିଲା ଉତ୍କଳ ଦିବସ ତଥା ଏହି ଗରିବ ଭୋଜନ ମଧ୍ୟ ଆୟୋଜନ କରାଯାଇଥିଲା । ଉତ୍କଳମଣି ଗୋପବନ୍ଧୁଙ୍କୁ ସ୍ମରଣ କରି ତାଙ୍କ ଜୀବନି ଉପରେ ଅନେକ ସଂଗଠନ ପକ୍ଷରୁ ବିଭିନ୍ନ ସଭା ମଧ୍ୟମରେ ଆଲୋଚନା ହେଉଥିଲା । କିନ୍ତୁ ପ୍ରାୟ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେଲା ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ରାସ୍ତା ସମ୍ପ୍ରସାରଣ ରେ ଏହି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କଲା ମହାନଗର ନିଗମ । ତେବେ ଏହା ସର୍ବ ପୁରାତନ ଛକ ଯାହାକି ଚିର ଦରିଦ୍ରଙ୍କ ସାଥୀ ଗୋପବନ୍ଧୁ ଦାସଙ୍କ ନାମରେ ନାମିତ କରାଯାଇଥିଲା।
ପୁଣି ଏହି ପ୍ରତିମୂର୍ତ୍ତିକୁ ଛକରେ ଉତ୍କୃଷ୍ଟ ବ୍ୟବସ୍ଥାରେ ସ୍ଥାପନା କରାଯିବ ପାଇଁ ପ୍ରତିଶୃତି ଦେଇଥିଲେ ମହାନଗର ନିଗମ ଅଧିକାରୀ । କିନ୍ତୁ ପ୍ରତିମୂର୍ତ୍ତିକୁ ଛକରୁ ଉଠାଇନେଇ ପୁନଃ ସ୍ଥାପନା କରିବାର ଦୂରର କଥା ସମ୍ମାନର ସହିତ ଏହି ମାହାନ ନାୟକ ଙ୍କ ପ୍ରତିମୂର୍ତ୍ତି କୁ ରଖା ନ ଯାଇ ଗୋପବନ୍ଧୁ ପାଠାଗାରର ଏକ କୋଣରେ ମୁହଁରେ ଲାଲ୍ କପଡା ବାନ୍ଧି ପକାଇ ରଖିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ, ସଚେତନନାଗରିକ ମାନେ ତୀବ୍ର ନିନ୍ଦା କରିଛନ୍ତି । ଅନ୍ୟପଟେ ଏହି ପ୍ରତିମୂର୍ତ୍ତିକୁ ଏତେଦିନ ପକାଇ ରଖିବା ପରେ ମଧ୍ୟ କେଉଁ ସ୍ଥାନରେ ଏହି ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ କରାଯିବ ସେ ନେଇ ତିଳେ ମାତ୍ର ଚିନ୍ତା କରି ପାରି ନ ଥିଲେ। ଏହାକୁ ନେଇ ତୀବ୍ରତର ଭାବରେ ସମାଲୋଚନା କରାଯିବା ପରେ ହଠାତ୍ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ସଦୃଶ ଏହାର ସ୍ଥାପନକୁ ନେଇ ତତ୍ପରତା ଦେଖାଇ ଥିଲେ। ତେବେ ଗୋପବନ୍ଧୁ ଛକରେ ହିଁ ଏକ ପ୍ରହସ୍ଥ ସ୍ଥାନରେ ଏକ ଉତ୍କୃଷ୍ଟ ଓସାରିଆ ସ୍ଥାନରେ ସବୁଜିମା ଛୋଟ ପାର୍କ ମଧ୍ୟରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ଦାବି ଉପସ୍ଥାପିତ ହୋଇଥିଲା। ତେବେ ଏହି ସର୍ବ ପୁରାତନ ଛକର କଡ଼ରେ ରହିଥିବା ଖୋଲା ସ୍ଥାନରେ ହିଁ ଗୋପବନ୍ଧୁଙ୍କ ମୂର୍ତ୍ତି ସ୍ଥାପନ କରାଯିବା ପାଇଁ ଦାବି ଉପସ୍ଥାପିତ ହୋଇଥିଲା। ଏଥିରେ ବୁର୍ଲାର ସଂଗଠନ ମାନଂକ ସହିତ ବୁଦ୍ଧିଜୀବୀ, ସଚେତନ ନାଗରିକ ଗଣ ସାମିଲ ରହିଥିଲେ। ଅନ୍ୟପଟେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଏଭଳି ଭାବରେ ପକାଇ ରଖି ଅସମ୍ମାନ କରିବା ନେଇ ସ୍ଥାନୀୟ ମହଲରେ ଅନେକ ଚର୍ଚା ଜୋର୍ ଧରିଛି।