ପଦ୍ମପୁର,୨୦/୦୮(ପିପିଟି):ପଦ୍ମପୁର ବ୍ଲକ ବାଲାଜୀଗୁଡା ଠାରେ ବିଶିଷ୍ଟ ଆଦିବାସୀ ନେତା ତଥା ସିପିଆଇ (ଏମ୍-ଏଲ୍) ନିଉ ଡେମୋକ୍ରାସୀ ପାର୍ଟିର ରାଜ୍ୟ କମିଟି ସଦସ୍ୟ ବୁଦ୍ଧ ଗମାଙ୍ଗଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ କିଶାନ ମଜଦୂର ସଭାର ରାଜ୍ୟ ସମ୍ପାଦକ ପ୍ରତାପ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କୁ ସ୍ମରଣ କରିବା ସହ ତାଙ୍କୁ ଦକ୍ଷିଣ ଓଡ଼ିଶାର ଗରିବ ଖଟିଖିଆ ବିଶେଷ କରି ଆଦିବାସୀମାନଙ୍କ ଜଣେ ପ୍ରକୃତ ନେତା ବୋଲି କହିଥିଲେ ।
ସିପିଆଇ (ଏମ୍-ଏଲ୍) ନିଉ ଡେମୋକ୍ରାସୀ ପାର୍ଟିର ରାଜ୍ୟ ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ବୁଦ୍ଧ ଗମାଙ୍ଗଙ୍କ ସହ ନିଜର ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମ୍ପର୍କକୁ ମନେ ପକାଇ ସେ କିପରି ନିଃସ୍ଵାର୍ଥପର ଭାବେ ଆଦିବାସୀଙ୍କ ଅଧିକାର ପାଇଁ ବେସାଲିସ୍ ସଂଘର୍ଷ କରୁଥିଲେ ତା’ର ଉଲ୍ଲେଖ କରିଥିଲେ । ଜମି, ଜଙ୍ଗଲ ଓ ମାନବିକ ଅଧିକାର ପାଇଁ ରାଜ୍ୟର ଆଦିବାସୀମାନଙ୍କ ଆନ୍ଦୋଳନର ଇତିହାସରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ବୋଲି କହିଥିଲେ । ବର୍ତ୍ତମାନ ଦେଶରେ ସାଧାରଣ ମଣିଷର ଅଧିକାର ଉପରେ ଫାଶିବାଦୀ ଶକ୍ତିମାନଙ୍କ ଆକ୍ରମଣ ବଢ଼ି ଚାଲିଥିବା ବେଳେ ବୁଦ୍ଧ ଗମାଙ୍ଗଙ୍କ ଚାଲିଯିବା ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଥିଲେ । ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ସମ୍ପାଦକ ପ୍ରଫୁଲ୍ଲ ସାମନ୍ତରା ନିଜ ବକ୍ତବ୍ୟରେ ବୁଦ୍ଧ ଗମାଙ୍ଗଙ୍କୁ ଜଣେ ସାହାସୀ, ତ୍ୟାଗୀ ଓ ଗରିବଙ୍କ ପାଇଁ ପ୍ରତିବଦ୍ଧ ନେତା ବୋଲି କହିଥିଲେ । ଅନ୍ୟ ନେତାମାନେ ଅର୍ଥ ଓ କ୍ଷମତା ପାଇଁ ଲୋକଙ୍କ ବିରୋଧରେ ଯାଉଥିବା ବେଳେ ବୁଦ୍ଧ ଗମାଙ୍ଗ କିନ୍ତୁ ତା’ର ବିପରୀତ ଥିଲେ । ତାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ସତ୍ତ୍ଵେ ସେ କେବେ ବୁଝାମଣା କରିନଥିଲେ ବରଂ ଲୋକଙ୍କ ପାଇଁ ଲଢେଇ କରିବା ଯୋଗୁଁ ତାଙ୍କୁ ସରକାର ଓ ସାହୁକାରଙ୍କ ଦ୍ଵାରା ବିଭିନ୍ନ ମିଥ୍ୟା ମୋକଦ୍ଦମାରେ ପଡ଼ି ବାରମ୍ବାର ଜେଲ ଯାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ (ଏମ୍-ଏଲ୍) ଲିବରେସନ୍ ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ, ବାମପନ୍ଥୀ ନେତା ପ୍ରଳୟ ବେହେରା, ଶ୍ରମିକ ନେତା ଏମ୍ ମାଧବ ରାଓ, ଗୁଣପୁର ମୋଟର ୟୁନିଅନ ନେତା ଭି ଭେଙ୍କଟ ରାଓ, ଟ୍ରକ୍ ୟୁନିଅନ ନେତା ବାଶା ପଟ୍ଟନାୟକ, ଆଇଏଫଟିୟୁ ରାଜ୍ୟ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ଏଆଇକଏଏମଏସ୍ ନେତା କେଦାର ଶବର, କାରୁକା ଶବର, ସମ୍ଵୁରା ଶବର, ଶିକ୍ଷକ ସନ୍ତୋଷ ମଲ୍ଲିକ, କନୀନ୍ଦ୍ର ଜାଲିକା, ଆଡଭୋକେଟ୍ ଗୌରୀ ଶଙ୍କର ମହାନ୍ତି, କନ୍ଧମାଳର ଆଦିବାସୀ ନେତା କୁଶନାଥ ପ୍ରଧାନ ଓ ପ୍ରଧାନ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବୁଦ୍ଧ ଗମାଙ୍ଗଙ୍କ ସହ ନିଜ ନିଜର ଅନୁଭୂତିର ଆଧାରରେ ତାଙ୍କୁ ଜଣେ ଲଢୁଆ ଆଦିବାସୀ ନେତା ତଥା ମେହନତୀ ମଣିଷର ସଚ୍ଚା ସାଥି ଥିଲେ ବୋଲି କହିବା ସହ ଗରିବ ଓ ନିଷ୍ପେସିତ ଲୋକଙ୍କ ଅଧିକାର ପାଇଁ ଲଢେଇକୁ ଶକ୍ତିଶାଳୀ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।