ମାଲକାନଗିରି,୧୬/୦୯(ପିପିଟି):
୧୯୬୨ ମସିହାରେ ମାଛକୁଣ୍ଡ ଜଳ ବିଦ୍ଯୁତ ପ୍ରକଳ୍ପ ଆରମ୍ଭ ହେଲା ପରେ ଉକ୍ତ ନଦୀ ବନ୍ଧ ଯୋଜନାରେ ପାଡୁଆ-କୁଲାବୀର ଏବଂ କାଟୁଆ, ଜୋଲାପୁଟ,ତପଗଣ୍ଡା,ମାଛକୁଣ୍ଡ-ବାରଙ୍ଗବାଡିର ଜନବସତିର ଲୋକମାନେ ନିଜର ପୂର୍ବ ପୁରୁଷଙ୍କ ଜମି ହରାଇଲେ । ସେହି ବିସ୍ଥାପିତ ଆଦିବାସୀମାନେ ଓର୍କେଲ ଥାନା ଅନ୍ତର୍ଗତ ସଦାଶିବପୁର ନାମରେ ଏକ ନୂତନ ଗ୍ରାମ ନିର୍ମାଣ ସହ ଜଙ୍ଗଲ ଜମି ସଫା କରି ରହିଲେ । ପୂର୍ବତନ ମୁଖ୍ଯମନ୍ତ୍ରୀ ଶଦାଶିବ ତ୍ରିପାଠୀଙ୍କ ନାମାନୁସାରେ ଏହି ନୂତନ ବସ୍ତିର ନାମକରଣ କରାଗଲା ଏବଂ ନିଜେ ମୁଖ୍ଯମନ୍ତ୍ରୀ ଏହି ଗାଁକୁ ଉଦଘାଟନ କରିଥିଲେ । ପିଡି ପରେ ପିଡି ବିତି ଗଲାଣି ହେଲେ ଅଦ୍ଯାବଧି ସେହି ବିସ୍ଥାପିତ ଲୋକମାନଙ୍କୁ ସରକାର ଜମି ପଟା ଦେଉ ନଥିବା ଜଣା ପଡିଛି ।ବିସ୍ଥାପିତଙ୍କ ପୂର୍ବଜମାନେ କେଉଁ କାଳୁ ସ୍ବର୍ଗଧାମକୁ ପ୍ରାପ୍ତି ହେଲେଣି କିନ୍ତୁ ସେମାନଙ୍କ ଉତ୍ତର ପିଡିମାନଙ୍କୁ ଆଜି ମଧ୍ଯ ବିଭିନ୍ନ ସରକାରୀ କାର୍ଯ୍ଯାଳୟ,ନେତା,ମନ୍ତ୍ରୀଙ୍କ ନିକଟରେ ଗୁହାରି କରି କରି ଥକି ଗଲେଣି,ତେବେ ସେମାନଙ୍କ ଜମିପଟା ଅଧିକାରରୁ ବଞ୍ଚିତ ।ଫଳରେ ସେମାନଙ୍କ ପୁଅ ଝିଅମାନେ ଜାତିଗତ ପ୍ରମାଣ ପତ୍ରରୁ ବଞ୍ଚିତ ହୋଇ ଶିକ୍ଷା,ସରକାରୀ ଚାକିରୀ, ରାଜନୈତିକ ସଂରକ୍ଷଣର ଯେତେଗୁଡିଏ ସାମ୍ବିଧାନିକ ସୁବିଧାନ ରହିଛି ହାସଲ କରିପାରୁ ନାହାନ୍ତି । ନଦୀ ବନ୍ଧ ଯୋଜନାରେ ସମସ୍ତ ପୈତୃକ ସଂପତ୍ତି ହରାଇଲା ପରେ ତତ୍କାଳିନ ସରକାର ବିସ୍ଥାପିତ ମାନଙ୍କୁ ଆଇନଗତ ଭାବେ ଥଇଥାନ କରିବା ଆବଶ୍ୟକ ଥିଲା । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ବର୍ତ୍ତମାନ ଶଦାଶିବପୁର ଗ୍ରାମବାସୀ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ।୧୯୯୨ ମସିହାରେ କୋରାପୁଟ ଜିଲ୍ଲାକୁ ଚାରି ଭାଗରେ ବିଭକ୍ତ କରାଯାଇ ଚାରିଗୋଟି ସବ-ଡିଭିଜନ ଜିଲ୍ଲାର ମାନ୍ଯତା ପାଇଲା ପରେ ମାଲକାନଗିରି ସବ-ଡିଭିଜନଟି ଜିଲ୍ଲା ଭାବେ ଆତ୍ମ ପ୍ରକାଶ ପାଇଲା । କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ମାଲକାନଗିରି ଅଞ୍ଚଳବାସୀ ଯେଉଁ ଖର୍ଚ୍ଚାନ୍ତ ହେଉଥିଲେ,ମାଲକାନଗିରି ଜିଲ୍ଲା ହେବା ଫଳରେ ଜିଲ୍ଲାପାଳଙ୍କୁ କୌଣସି କାମରେ ସାକ୍ଷାତ କରିବା ସହଜ ସାଧ୍ଯ ହୋଇ ପାରିଲା । କିନ୍ତୁ ସଦାଶିବପୁର ଗ୍ରାମବାସୀ ୩୦ ବର୍ଷ ହେଲା ଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ,ରାଜସ୍ବ ବିଭାଗ ଧାଇଁ ଧାଇଁ ନୈରାଶ୍ଯ ସତ୍ତ୍ବେ ସେମାନଙ୍କୁ ଜମିପଟା ମିଳୁ ନାହିଁ । ୨୦୦୬ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ ଆସିଲା ପରେ ମଧ୍ଯ ରାଜସ୍ବ ବିଭାଗ ଏବଂ ଜଙ୍ଗଲ ବିଭାରର ମିଳିତ ସର୍ଭେ କରାଯାଇ ମଧ୍ଯ ଶଦାଶିପୁର ଗ୍ରାମବାସୀଙ୍କୁ ଜମିପଟା ପ୍ରଦାନ କରାଗଲା ନାହିଁ । ଫଳରେ ପଟା ପାଇବା ପାଇଁ ବାଧ୍ଯ ହୋଇ କଟକ ଉଚ୍ଚ ନ୍ଯାୟାଳୟର ଆଶ୍ରୟ ନେଇଛନ୍ତି । ଉଚ୍ଚ ନ୍ଯାୟାଳୟ ବର୍ତ୍ତମାନ ମାଲକାନଗିରି ଜିଲ୍ଲାପାଳଙ୍କ ଉପରେ ପଟା ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି । ଏହା ଜିଲ୍ଲାପାଳଙ୍କ ଆନ୍ତରିକତା ଉପରେ ନିର୍ଭରଶୀଳ । ସଦାଶିବପୁରରେ ୧୦୦ ଘର, ତାର୍ଲାକୋଟା-ସି ରେ ୪୦ ଘର ଏବଂ କେନ୍ଦୁଗୁଡା-ବି ରେ ୮୦ ଘର ମାଛକୁଣ୍ଡ ପ୍ରକଳ୍ପର ବିସ୍ଥାପିତ ଲୋକମାନେ ଆଜକୁ ଦୀର୍ଘ ୬୦ ବର୍ଷ ହେଲା ରହୁଛନ୍ତି । କିନ୍ତୁ ସେମାନଙ୍କର ପଟା ନଥିବାରୁ ସବୁ ସରକାରୀ ଯୋଜନାରୁ ଏହି ତିନିଗୋଟି ଗ୍ରାମବାସୀ ବଞ୍ଚିତ । ଆବାସ ଯୋଜନା,ବ୍ଯାଙ୍କ ଋଣ, ଆବାସିକ ପ୍ରମାଣ ପତ୍ର ତାଙ୍କ ନିକଟରେ ନାହିଁ । ସ୍ବାଧୀନ ଦେଶରେ ଜନ୍ମ ହୋଇ ଆଦିବାସୀମାନେ ଏବେ ଶରାର୍ଥି ଜୀବନ ନିର୍ବାହ କରୁଛନ୍ତି । ଏଠାକୁ ପ୍ରତି ପାଞ୍ଚ ବର୍ଷରେ ନେତା ଆସନ୍ତି, ପଟା ଦେବାର ମିଥ୍ଯା ପ୍ରତିଶ୍ରୁତି ଦେଇ ଭୋଟ ନିଅନ୍ତି ପୁଣି
ବିସ୍ଥିପିତଙ୍କ ସମସ୍ଯାକୁ ପାଶୋରି ପକାନ୍ତି । ମାଲକାମଗିରି ଜିଲ୍ଲାରେ ୨ଟି ବିଧାନ ସଭା ମଣ୍ଡଳୀ ରହିଛି, ଯଥା:ମାଲକାନଗିରି ଏବଂ ଚିତ୍ରକୋଣ୍ଡା । ଏହି ୩ ଗୋଟି ବିସ୍ଥାପିତ ଗାଁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀଟି ଆଦିବାସୀ ପ୍ରାର୍ଥିଙ୍କ ଲାଗି ସଂରକ୍ଷିତ । ବିଧାୟକ ଜଣେ ଆଦିବାସୀ,୩ ଗୋଟ. ବିସ୍ଥାପିତ ଗ୍ରାମବାସୀମାନେ ବି ଆଦିବାସୀ ସଂପ୍ରଦାୟର । କିନ୍ତୁ ଏହି ସମସ୍ଯା ଦୀର୍ଘ ଛଅ ଦଶନ୍ଧିର ।ତେବେ କାହାର ଆନ୍ତରିକତା ନାହିଁ ଏମାନଙ୍କ ସମସ୍ଯାର ସମାଧାନ ଲାଗି ।ସରକାରୀ କଳ ଏବଂ ନେତା ମନ୍ତ୍ରୀଙ୍କ ଠାରୁ କେବଳ ପ୍ରତାରଣା ଏବଂ ମିଥ୍ଯା ପ୍ରତିଶ୍ରୁତି ଶୁଣି ଶୁଣି ଏହି ସରଳ ନିରିହ ଆଦିବାସୀ ମାନେ ବୁଝିଗଲେଣି ବ୍ରିଟିଶ ଠାରୁ ବି ଭୟଙ୍କର ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)