ବୁଗୁଡା ଅଞ୍ଚଳର ବାହାର ରାଜ୍ୟର ବିଇଡି କରିଥିବା ୪୭ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ।

ବ୍ରହ୍ମପୁର,୦୩/୦୮(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। ୨୦୧୯ ମସିହା ଠାରୁ ବିଭିନ୍ନ ସମୟରେ ଜାଲ୍ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ କିଛି କର୍ମଚାରୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଚେଷ୍ଟା କରି ଆସୁଥିବା ନେଇ ମଧ୍ଯ ଅଭିଯୋଗ ଉଠୁଛି। ଅନେକ ବାହାର ରାଜ୍ୟର ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ଆସୁଛି। ଗତ କିଛିଦିନ ତଳେ ବ୍ରହ୍ମପୁର ପୁଲିସ ଏଭଳି ଏକ ଜାଲ୍ ସାର୍ଟିଫିକେଟ ରାକେଟ୍ ପର୍ଦ୍ଦାଫାସ କରିଥିଲା। କିନ୍ତୁ ରାଜନୈତିକ ଚାପ ଯୋଗୁଁ ବ୍ରହ୍ମପୁର ପୁଲିସ ମାଷ୍ଟରମାଇଣ୍ଡକୁ ରିମାଇଣ୍ଡରେ ଆଣିଲା ନାହିଁ ଏବଂ କେତେ ପରିମାଣର ସାର୍ଟିଫିକେଟ ବିକ୍ରି ହୋଇଛି ତାର ତଥ୍ଯ ମଧ୍ଯ ପୁଲିସ ଦେଲା ନାହିଁ। ଏବେ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରୁ ବାହାର ରାଜ୍ୟର ୪୭ ଜଣ ସାର୍ଟିଫିକେଟ ଆଣି ଚାକିରି କରୁଥିବା ଜଣାପଡିଛି। ସେମାନଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବାକୁ ସୂଚନା ଅଧିକାର କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ସେ ଜିଲ୍ଲା ଶିକ୍ଷାଧିକାରୀ, ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷା ବିଭାଗ ମନ୍ତ୍ରୀ,ଶିକ୍ଷା ସଚିବ,ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରେରଣ କରିଛନ୍ତି। ବୁଗୁଡା ଅଞ୍ଚଳର ୪୭ ଜଣ ଆଚାର୍ଯ୍ଯ ନାଗାର୍ଜୁନ ବିଶ୍ବବିଦ୍ୟାଳୟ,ଆନାମଲାଇ, ଆନ୍ଧ୍ର,ବର୍ଦ୍ଧମାନ,ଗୁଜରାଟ, ମଧ୍ୟପ୍ରଦେଶ,ଜାମ୍ମୁ,ନୂଆଦିଲ୍ଲୀ,ମାଡ୍ରାସ, ଗୁଲବର୍ଗ, ଆଗ୍ରା,କାଡାପା ବିଶ୍ବବିଦ୍ୟାଳୟରୁ ପ୍ରମାଣପତ୍ର ଆଣିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି। ବର୍ତ୍ତମାନ ଜାଲ୍ ଶିକ୍ଷକଙ୍କ ତାଲିକା ୫୦୦ ରୁ ଉର୍ଦ୍ଧ୍ବ ହେଲାଣି। ତନ୍ମମଧ୍ଯରୁ ୯୬ ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ୪୭ ଜଣ ଚାକିରି ଛାଡିଛନ୍ତି। ଜାଲ୍ ସାର୍ଟିଫିକେଟ ଧରାପଡିଲେ ସମ୍ପୃକ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହିତ ଦରମା ବାବଦରେ ନେଇଥିବା ଅର୍ଥ ଆଦାୟ କରିବାକୁ ଶ୍ରୀ ମହାନ୍ତି ତାଙ୍କର ପିଟିସନ ରେ ଅନୁରୋଧ କରିଛନ୍ତି।

Comments (0)
Add Comment