ବୁଗୁଡ଼ା ବ୍ଳକରେ ଭତ୍ତା ଓ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବଣ୍ଟନ।

ବୁଗୁଡ଼ା,୧୮/୦୬ (ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ନୂତନ ଭତ୍ତା ଓ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ମହୋଦୟ ନିଜ ବକ୍ତବ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଜନକଲ୍ୟାଣ ଯୋଜନା ବିଷୟ ଗୁଡିକଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଏହାର ସୁଯୋଗ ନେବାପାଇଁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ୨୫୪ ଜଣଙ୍କୁ ରାଜ୍ୟ ସରକାରଙ୍କ ନୂତନ ଭତ୍ତା ବଣ୍ଟନ କରିବା ସହ ୬ ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ସମେତ ପଞ୍ଚାୟତ ଲୋକ ପ୍ରତିନିଧି ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment