ଭଞ୍ଜନଗର,୦୯/୦୨(ପିପିଟି): ବୁଗୁଡା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୪ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୭୧ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୨୪ଟି ସାମୂହିକ ଅଭିଯୋଗ ରହିଥିଲା । ସେହିପରି ୧୫ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ କରାଯାଇଥିଲା । ରେଡକ୍ରସ ପାଣ୍ଠିରୁ ୯ ଜଣଙ୍କୁ ସହାୟତା ରାଶି ବାବଦରେ ୫୫,୦୦୦ ଟଙ୍କା ଏବଂ ୫ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ନୂତନ ପଟ୍ଟା ବଣ୍ଟନ କରିଥିଲେ । ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ,ପିଏମ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନାରେ ଗୃହ ବଣ୍ଟନ,ରାସନ କାର୍ଡ,ଜମିଜମା ସଂପର୍କିତ ସମେତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା।
ଶିବିରରେ ଅତିରିକ୍ତ ଜ଼ିଲ୍ଲାପାଳ ସୁନୀଲ କୁମାର କେର୍କେଟା,ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ଭଞ୍ଜନଗର ରଞ୍ଜନ କୁମାର ଦେ, ବୁଗୁଡା ବିଡିଓ ଦ୍ବିତି କୃଷ୍ଣ ପାତ୍ର, ଏବିଡିଓ ଧର୍ମରାଜ ପରିଡାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୁଗୁଡା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।
ଅଭିଯୋଗ ଶୁଣାଣି ଶିବିର ଶେଷ ହେଲାପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜ଼ିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହିତ ବୁଗୁଡ଼ାର ବିଭିନ୍ନ ପୁରାତନ ଐତିହ୍ୟ ସ୍ଥଳକୁ ଯାଇ ସେଗୁଡିକର ଉନ୍ନତିକରଣ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ ।