ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟଣା,ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ ।

ବ୍ରହ୍ମପୁର, ୨୯/୦୯(ପିପିଟି):ସ୍ଥାନୀୟ ଆନନ୍ଦ ନଗର ଛକରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳର ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ପୁଲିସ । ଗିରଫ ଦୁଇ ଜଣ ହେଲେ ଆନନ୍ଦ ନଗରର ଜୀନୁ ମହାରଣା ୨୩ ଓ ଅନ୍ୟ ଗୋଷ୍ଠୀର ଧର୍ମ ନଗର ନିବାସୀ ଜଗନ୍ନାଥ ସାହୁ (୩୦) । ସୂଚନାଯୋଗ୍ୟ ଯେ,ସ୍ଥାନୀୟ ହରଡ଼ାଖଣ୍ଡି ଆନନ୍ଦନଗରରେ ବଳିଆ ସାହୁ, ଜଗା, ଶୁଲି ଓ ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୋୟୀଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଜଣ ଖଣ୍ଡାକାତି ଧରି ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଆନନ୍ଦନଗରର କିଛି ଯୁବକଙ୍କୁ ଆକ୍ରମଣ କରିଥିବା ନେଇ ଆନନ୍ଦନଗର ଅଞ୍ଚଳବାସୀଙ୍କ ପକ୍ଷରୁ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୂର୍ବତନ କର୍ପୋରେଟର ଉଦ୍ଧବ ବିଶୋୟୀ ଓ ଶୁଲି ଉଭୟେ ଜୁଆଆଡ୍ଡା ଚଳାଇବା ସହ ସ୍ଥାନୀୟ ଯୁବକଙ୍କୁ ଭୟଭିତ କରିଥାନ୍ତି। ଏହାର ପ୍ରତିବାଦ କଲେ ଘରେ ପଶି ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ଫର୍ଦରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ଆନନ୍ଦନଗର ଛକରେ ବିପକ୍ଷ ଗୋଷ୍ଠୀର ଜଗନ୍ନାଥ ସାହୁ ନାମକ ଜଣେ ଯୁବକଙ୍କୁ ଜିନୁ ମହାରଣା, କାହ୍ନୁ , ବାଲି ଓ ଶମ୍ଭୁ ବିନା କାରଣରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଜଗନ୍ନାଥଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ମଧ୍ୟ ହୋଇଥିଲା । ଘଟଣାକୁ ନେଇ ଜଗନ୍ନାଥ ସାହୁ ବଡ଼ବଜାର ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଆଉ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଉପରୋକ୍ତ ଦୁଇଟି ଘଟଣାରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉଭୟ ଗୋଷ୍ଠୀର ଦୁଇ ଜଣଙ୍କୁ ଗିରଫ କରିଛି ।

ରିପୋର୍ଟ – ଆରତ କୁମାର ହୋତା

Comments (0)
Add Comment