ବିଷାକ୍ତ ସର୍ପ ଦଂଶନରେ ନାବାଳକର ମୃତ୍ୟୁ ।

ବେଲଗୁଣ୍ଠା,୦୫/୦୮(ପିପିଟି):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ସାନସାଦରା ଗ୍ରାମର ଜଣେ ନାବାଳକ ବିଷାକ୍ତ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ସାନସାଦରା ଗ୍ରାମର ଉତ୍ତମ ବିଷୋୟୀଙ୍କ ଏକମାତ୍ର ପୁଅ ଶୁଭମ୍ ବିଷୋୟୀ (୧୪)। ଶୁଭମ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ନିଜ ବଡ଼ମାଆଙ୍କ ଘରେ ରହି ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୁଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ସବୁଦିନ ଭଳି ସୋମବାର ରାତିରେ ସମସ୍ତେ ଖାଇପିଇ ଘରେ ଶୋଇଥିଲେ। ଭୋର୍ ତିନିଟା ସମୟରେ ଶୁଭମ୍ କୌଣସି ବିଷାକ୍ତ ଜନ୍ତୁ କାମୁଡିବାର ଅନୁଭବ କରି ନିଦରୁ ଉଠିବା ସହ ଘର ଲୋକଙ୍କୁ ଜଣାଇଥିଲେ। ଘର ଲୋକ ଲାଇଟ୍ ଜଳାଇବା ପରେ ଏକ ବିଷାକ୍ତ ସାପ ଶୁଭମର ଶଯ୍ୟା ନିକଟରୁ ବାହାରକୁ ଚାଲିଯାଇଥିବା ଦେଖିବାକୁ ପାଇଥିଲେ। ସାପଟିକୁ ଦେଖି ଶୁଭମକୁ ସାପ କମୁଡ଼ିଥିବା ନିଶ୍ଚିତ ହୋଇ ପରିବାର ଲୋକେ ତାକୁ ପ୍ରଥମେ ଧରାକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଧରାକୋଟ ମେଡ଼ିକାଲରୁ ଶୁଭମକୁ ଆସିକା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଶୁଭମର ଅବସ୍ଥାରେ କୌଣସି ସୁଧାର ନଆସିବାରୁ ତାକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଶୁଭମର ମୃତ୍ୟୁ ଘଟିଥିଲା। ଶୁଭମଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଉଭୟ ପଣିବନ୍ଧ ଏବଂ ସାନସାଦରା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ଶ୍ରୀ ଗରୁଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ଶୁଭମ୍ ଜଣେ ମେଧାବୀ ଏବଂ କର୍ମଠ ଛାତ୍ର ଥିଲା। ତାର ଅକାଳ ମୃତ୍ୟୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ସ୍ତବ୍ଧ କରିଦେଇଥିଲା। ଆଜି ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭମଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ବ୍ରହ୍ମପୁରରେ ଶୁଭମଙ୍କ ଶବ ବ୍ୟବଚ୍ଛେଦ ହୋଇ ନିଜ ଗ୍ରାମ ସାନ ସାଦରାରେ ପହଞ୍ଚିବା ପରେ ଗ୍ରାମ କାନ୍ଦବୋବାଳିରେ ଫାଟି ପଡିଥିଲା। ଶୁଭମଙ୍କ ବିୟୋଗରେ ଗ୍ରାମର ଆବାଳବୃଦ୍ଧବନିତା ଲୁହ ଝରାଇଥିଲେ। ନିଜର ଏକ ମାତ୍ର ପୁଅକୁ ହରାଇ ବାପା ଓ ମା ଦୁଃଖରେ ଭାଙ୍ଗି ପଡିଛନ୍ତି ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Comments (0)
Add Comment