ବିଷାକ୍ତ ଫଳ ଖାଇ ଗୁରୁତର ୮ ଜଣ ପିଲା ଚିକିତ୍ସା ପରେ ସୁସ୍ଥ ।

ମାଲକାନଗିରି,ତା:୦୪/୦୨(ପିପିଟି);ଦୀର୍ଘ ଦିନ ପରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଲା । କିନ୍ତୁ ଖୋଲୁ ଖୋଲୁ ଅଘଟଣ ଆସି ପହଞ୍ଚିଲା । ଅଙ୍ଗନୱାଡି ଦିଦିଙ୍କ ଅବହେଳା ପାଇଁ ୮ ଜଣ ଶିଶୁ ବିଷାକ୍ତ ଫଳ ଖାଇ ଗୁରୁତର ହୋଇ ପଡିଲେ ।ଠିକ ସମୟରେ ଚ୍କିତ୍ସତ ହେବାରୁ ସେମାନେ ଅକାଳ ମରଣ ମୁହଁରୁ ଅଳ୍ପକେ ବଞ୍ଚଗଲେ । ଏମିତି ଏକ ଅଘଟଣ ଘଟିଛି ଆଜି ଆଦିବାସୀ ଅଧ୍ଯୁଷିତ ଗ୍ରାମ ମନସୁ ଗୁଡାରେ । ଘଟଣାରୁ ପ୍ରକାଶ ଯେ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ମନସୁଗୁଡା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଆଜି ସକାଳେ ପିଲାମାନେ ପାଠ ପଢିବା ଶକାସେ ଯାଇଥିଲେ। ଅଙ୍ଗନବାଡ଼ି ଦିଦିଙ୍କ ଅବହେଳା ଯୋଗୁଁ ପିଲାମାନେ ସେଠାରେ ବୁଲାବୁଲି କରି କୌଣସି ବିଷାକ୍ତ ଫଳକୁ ଖାଇ ଦେଇଥିଲେ। ଯାହାଫଳରେ ସମସ୍ତେ ଘରକୁ ଯିବା ପରେ ବାନ୍ତି କରିବା ସହ ଗୁରୁତର ହୋଇପଡିଥିଲେ। ଗୁରୁତର ହୋଇଥିବା ପିଲାମାନେ ହେଲେ ରାଣୀମା କୁରାମି,ଦେବେନ୍ଦ୍ର କୁରାମି,ମାମୁନି ପଡିଆମି,ଜୟନ୍ତୀ କାବାସି,ହୀରାମଣି କାବାସି,ସିଦ୍ଧାନ୍ତ ପଡିଆମି ଏବଂ ରେବିକା ପଡିଆମି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ବାଳକ ଏବଂ ୬ ଜଣ ବାଳିକା ରହିଛନ୍ତି। ସମସ୍ତ ଶିଶୁଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇ ଚିକିତ୍ସା କରାଯାଇଛି। ଫଳରେ ଅଳ୍ପକେ ଅକାଳ ମରଣରୁ ୮ଟି ଶିଶୁ ବର୍ତ୍ତିଯାଇଥିବା କୁହାଯାଇଛି। ତୁରନ୍ତ ଚିକିତ୍ସା କରାଯାଇ ନଥିବା ଅଘଟଣ ଘଟିଥାନ୍ତା ବୋଲି ଡକ୍ତର ପ୍ରଫୁଲ ତୁମାର ବେହେରା ପ୍ରକାଶ କରିଛନ୍ତି। ତେବେ ଏନେଇ ସିଡିପିଓ ରାଜଶ୍ରୀ ପଟ୍ଟନାୟକଙ୍କୁ ପଚରାଯିବାରୁ ସେ ଏନେଇ କିଛି ଜାଣି ନଥିବା କହିଥିଲେ। ତେବେ ଅଙ୍ଗନୱାଡି କେନ୍ଦ୍ରଗୁଡିକକୁ ଲଗାତାର ଯାଞ୍ଚ କରାଯାଉ ନଥିବା ଏବଂ ସିଡିପିଓଙ୍କ ଉଚିତ ତଦାରଖ ହୋଇପାରୁ ନଥିବାରୁ ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରାଯାଇଛି।ଏପରିକି ଅଭିଭାବକମାନେ ଆଗକୁ ଆଉ ପିଲାମାନଙ୍କୁ ଅଙ୍ଗନୱାଡି କେନ୍ଦ୍ରକୁ ଛାଡିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ଅଙ୍ଗନୱାଡି ଦିଦିଙ୍କ ଦାୟୀତ୍ବହିନତା ଯୋଗୁଁ ଆଜି ୮ଟି ଶିଶୁଙ୍କର ଜୀବନ ଚାଲିଯାଇଥାନ୍ତା ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ଏହାର ଉଚିତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment