ବାଲିଗୁଡ଼ା, ୦୫/୦୬ (ପିପିଟି): ବିଶ୍ୱ ପରିବେଶ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ପରିସରରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ବନ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋଟଗଡ଼ ବନାଞ୍ଚଳର ସମସ୍ତ କର୍ମଚାରୀ, କୋଟଗଡ଼ ସ୍ଥିତ ସିଆରପିଏଫ୍ କ୍ୟାମ୍ପର ଯବାନମାନେ ଏବଂ କୋଟଗଡ଼ ଥାନାର ପୋଲିସ୍ କର୍ମଚାରୀମାନେ ଯୋଗଦାନ କରିଥିଲେ। ସମୁଦାୟ ୨୦୦ଟି ଚାରାରୋପଣ କରାଯାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ସଦସ୍ୟ ଜଙ୍ଗଲ ଓ ପରିବେଶର ସୁରକ୍ଷା, ସଂରକ୍ଷଣ ଏବଂ ସବୁଜ ପରିବେଶ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଦୃଢ଼ କରିବା ସହ ସବୁଜ ଓ ସୁସ୍ଥ ପରିବେଶ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି ବୋଲି କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା ପ୍ରକାଶ କରିଛନ୍ତି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ