ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବାର୍ତ୍ତା।

ଲେଖକ :- ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ।

ଆମ ଭାରତୀୟ ଐତିହ୍ୟ ପରମ୍ପରା ତଥା ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଥିବା ବିଭିନ୍ନ ରୋଗ ବିଷୟରେ ଅନୁଧ୍ୟାନ କଲେ ଜଣାଯାଏ ଯେ ସାମ୍ପ୍ରତିକ ପରିସ୍ଥିତି ରେ ଆମ ଦେଶର ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ତଥା ବିଶ୍ୱର ପ୍ରତେକ ରାଷ୍ଟ୍ରରେ ଦୈନନ୍ଦିନ ବିଭିନ୍ନ କାରଣରୁ ନୂତନ ଭାବେ ରୋଗ ସୃଷ୍ଟି ହେଉଥିବା ବେଳେ “କୋଭିଡ -19” ମହାମାରୀ ପରି ବହୁ ଭୁତାଣୁ ଜନିତ ରୋଗ ସୃଷ୍ଟି ହୋଇ ଲକ୍ଷ ଲକ୍ଷ ପିଲା ଠାରୁ ବୟସ୍କ ବ୍ୟକ୍ତିଙ୍କ ଜୀବନ ହାନି ହୋଇଥାଏ, ଯାହାକି ପୃଥିବୀର ଜଳବାୟୁ ପରିବର୍ତ୍ତନ ଆଦି ବିଭିର୍ଣ୍ଣ ପ୍ରାକୃତିକ ବିଭିନ୍ନତା ହେତୁ ସୃଷ୍ଟିହୋଇ ଥାଏ। ତାକୁ ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ସମୟୋପଯୋଗୀ ପଦକ୍ଷେପ ହେତୁ ରୋଗର ପ୍ରଭାବ କୁ ପ୍ରତିରୋଧ କରିବା ରେ ସଫଳତା ମିଳିବାର ଆମେ ଅନୁଭବ କରିଛେ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସମେତ ସାରା ବିଶ୍ୱରେ ପ୍ରତିଦିନ “କର୍କଟ” ଭଳି ମାରାତ୍ମକ ରୋଗ ଯେଭଳି କାୟା ବିସ୍ତାର କରିଚାଲିଛି ତାକୁ ପ୍ରତିରୋଧ ହେଉ କିମ୍ବା ମୁକାବିଲା କରି ସ୍ଥିତିରେ ସୁଧାର ଆଣିବା ପାଇଁ ପୁରାତନ ସ୍ୱାସ୍ଥ୍ୟ ଚିକିତ୍ସା ପଦ୍ଧତି ତଥା ଅତ୍ୟାଧୁନିକ ଚିକିତ୍ସା ଶାସ୍ତ୍ର ବିଶେଷଜ୍ଞ ନିମନ୍ତେ ଏକ ଆହ୍ୱାନ ସୃଷ୍ଟି ହୋଇଛି ସତ କିନ୍ତୁ ଏହି ଭୟାବହ ତଥା ଜଟିଳ “କର୍କଟ” ରୋଗ ମଧ୍ୟରୁ ଶରୀରର ମୁଖ ଗହ୍ୱରଜନିତ କର୍କଟ ରୋଗରେ ବହୁ ମଧ୍ୟବୟସ୍କ ଓ ଯୁବ ସମ୍ପ୍ରଦାୟ ବ୍ୟକ୍ତିବିଶେଷ ଆକ୍ରାନ୍ତ ହୋଇ ବହୁଳ ବ୍ୟୟ ସାପେକ୍ଷ ହୋଇ ଶେଷରେ ଜୀବନ ହାନି ଘଟୁଛି। ଏହାର ନିରାକାରଣ ତଥା ପ୍ରତିରୋଧ କରବା ନିମନ୍ତେ ଅତି ସହଜ ଓ ସରଳ ଉପାୟ ଆମ ହାତରେ ରହିଛି।
*ମୁଖ ଗହ୍ୱର ଜନିତ କର୍କଟ ରୋଗର ମୁଖ୍ୟ କାରଣ* :-
ଆମର ଭାରତୀୟ ପୁରାତନ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ରେ ଆମେ ସୁସ୍ଥ,ସତେଜ ଓ ଦୀର୍ଘାୟୁ ଜୀବନ ପାଇଁ,ଆମର ଦୈନିନ୍ଦିନ ଜୀବନ ଶୈଳୀ ସାଧାରଣତଃ ସାତ୍ତ୍ଵିକ ଆହାର ବିହାର ସହ ଉପଯୁକ୍ତ ଶାରୀରିକ ବ୍ୟୟାମ ଓ ସୁନିଦ୍ରାର ଆବଶ୍ୟକତା ରହିଥିବାର ଉଲ୍ଲେଖ ରହିଛି, ଯାହାକି ସଠିକ ସମୟରେ ହେବା ଉଚିତ।କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ଭାରତରେ ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ଅନୁମେୟ କଲେ ଜଣାଯାଏ କି, ଆମ ଦେଶୀୟ ଚାଲିଚଳଣିକୁ ଭୁଲି, ପାଶ୍ଚlତ୍ୟ ଦେଶର ଖାଦ୍ୟ ଶୈଳୀ, ଖାଦ୍ୟ ପେୟ କୁ ଆପଣାଇବା ସହ, ବିଳମ୍ବିତ ରାତ୍ରି ଯାଏଁ ଅନିଦ୍ରା ରହିବା, ସକାଳୁ ବିଳମ୍ବରେ ଉଠିବା ସହ କିଛି ବ୍ୟକ୍ତି ଶଯ୍ୟା ତ୍ୟାଗ କରୁକରୁ ହିଁ ଅତ୍ୟଧିକ ମଦ୍ୟପାନ,ତମାଖୁ ଜାତୀୟ ଦ୍ରବ୍ୟ (ପାନ ମସଲା,ଗୁଟୁଖା, ଖଇନି, ଗୁଡ଼ାଖୁ) ଆଦି ସେବନ,ପାନ ମସଲା ଓ ଗୁଆକୁ ଚୋବାଇବା,ଦୀର୍ଘ ସମୟ ଧରି ପାଟି ସଫା ନକରିବା,କେତେକ ଫଙ୍ଗସ ଜାତୀୟ (ଜୀବାଣୁ ବା ଭୁତାଣୁ ଜନିତ ଦୀର୍ଘ ସ୍ଥାୟୀ ସଂକ୍ରମଣ) ହେତୁ ମନୁଷ୍ୟ ଶରୀରରେ ମୁଖ ଗହ୍ୱର କର୍କଟ ରୋଗ ହେବାର ବହୁତ ସମ୍ଭାବନା ରହିଥାଏ,ଯାହାକି ପ୍ରାଥମିକ ଅବସ୍ଥାରେ ରୋଗ ନିରୂପଣ ହେଲେ ଆରୋଗ୍ୟ ସାଧ୍ୟ ହୋଇଥାଏ, ତେଣୁ ଏସବୁ କୁଅଭ୍ୟାସ ଠାରୁ ଦୁରେଇ ରହିଲେ ମୁଖ ଗହ୍ୱର କର୍କଟ ରୋଗକୁ ବହୁଳ ପରିମାଣରରେ ଆମେ ହ୍ରାସ କରାଇପାରିବା।
*ମୁଖ ଗହ୍ୱର କର୍କଟ ରୋଗର ଲକ୍ଷଣ* :-

୧.ମୁଖର ଅନ୍ତଃ ଭାଗରେ ଦୀର୍ଘ ଦିନ ଧରି ନାଲି କିମ୍ବା ଧଳା ଦାଗ ରହିଥଲେ,
୨. ପାଟିରେ ଘା ହେଲେ ଶୀଘ୍ର ଭଲ ନହେବା,
୩. କ୍ରମାଗତ ଭାବେ ବଢ଼ି ଚାଲିଥିବା ଫୁଲା,
୪.ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହେବା କିମ୍ବା ଆଦୌ ଲାଳ ନିର୍ଗତ ନ ହେବା, ୫.ଅସ୍ୱାଭାବିକ ଭାବେ ପାଟିରୁ ରକ୍ତ ସ୍ରାବ ହେବା କିମ୍ବା ନାକରୁ ରକ୍ତ ପଡିବା,
୬.ପାଟିର କର୍କସ ସ୍ୱର ବାହାରି ଦୀର୍ଘଦିନ ଲାଗିରହିବା
୭. ପାଟି ଠିକ ଭାବେ ଖୋଲିନପାରିବା
୮. ପାଟିଦ୍ୱାର ଖାଦ୍ୟର ସ୍ୱାଦ ଠିକ ଭାବେ ବାରି ନପାରିବା
୯. ଜିଭ ବାହାରକୁ ବାହାର କରିବାରେ କଷ୍ଟ ଅନୁଭବ କରିବା,
୧୦. ଗଳା ସ୍ଥାନର ଗ୍ରନ୍ଥି ଫୁଲିବା,
୧୧. ପାଟିର ଅନ୍ତଃ ପ୍ରଦେଶ ରେ ବହୁଦିନ ଧରି ଯନ୍ତ୍ରଣା ଲାଗିରହିବା ଆଦି ଏସବୁ ଲକ୍ଷଣ ଦେଖା ଦେଲେ, ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ ନେବାର ଆବଶ୍ୟକତା ଜରୁରୀ ଅଟେ।
ପ୍ରତିବର୍ଷ ଫେବୃଆରୀ ମାସ ୪ ତାରିଖ କୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଇଥାଏ। ଦିନକୁଦିନ “କର୍କଟ” ବା କ୍ୟାନସର ଆମ ଦେଶ ତଥା ସାରା ବିଶ୍ୱ ରେ ଏହାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି,ଆଧୁନିକ ଚିକିତ୍ସା ଶାସ୍ତ୍ର ଦ୍ରୁତ ଗତିରେ ଆଗେଇ ଚାଲିଥିବା ସତ୍ୱେ ଏହି ମାରତ୍ମକ ରୋଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇପାରୁନାହିଁ। ତେଣୁ ଏପରି ଭୟଙ୍କର ରୋଗ ସମ୍ପର୍କ ରେ ସର୍ବସାଧାରଣଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଫେବୃଆରୀ ମାସ-୪ ତାରିଖକୁ “ବିଶ୍ୱ କର୍କଟ ଦିବସ ଭାବେ” ପାଳନ କରାଯାଇଆସୁଛି। “କର୍କଟ” ବା କେନସର ମନୁଷ୍ୟକୁ ଅକାଳ ରେ ଜୀବନ ନେବା ସହ ଶାରୀରିକ, ମାନସିକ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିଦେଇଥାଏ। “କର୍କଟ” ରୋଗ ଠାରୁ ଦୁରେଇ ରହିବା ପାଇଁ ନିଜର ଉତ୍ତମ ଜୀବନ ଶୈଳୀ, ସୁଷମ ଖାଦ୍ୟ ସେବନ ସହ ଉକ୍ତ ରୋଗ ସୃଷ୍ଟି କାରି ମାଦକ ଦ୍ରବ୍ୟ ସେବନ ଠାରୁ ଦୁରେଇ ରହିବା ଦ୍ୱାରା “କର୍କଟ” ରୋଗକୁ ପ୍ରାୟତଃ ୪୦ପ୍ରତିଶତ କମା ଯାଇପାରିବ ବୋଲି ଏକ ସର୍ଭେରୁ ଜଣା ପଡିଛି। ଏପରି ଜଟିଳ ରୋଗକୁ ପ୍ରତିରୋଧ କରାଯିବା ତଥା ସଚେତନତାର ବାର୍ତ୍ତା ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରତବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଦ୍ୱାରା ବିଶ୍ୱର ସମସ୍ତ ଜନସାଧାରଣଙ୍କୁ ଏକ “ବାର୍ତ୍ତା”ଦିଆଯାଇଥାଏ। ଚଳିତ ବର୍ଷ ୪ ଫେବୃୟାରୀ ୨୦୨୬ ର ବାର୍ତ୍ତା ହେଲା :- ” *United by Unique”* ଅର୍ଥାତ ” ଅନନ୍ୟ ଦ୍ୱାରା ଏକତ୍ରିତ”
ଆମର ପୂର୍ବପିଢ଼ି ଗୋସେଇଁ ବାପା,ମାଆ, ତଥା ସାମୁହିକ ବ୍ୟକ୍ତି ବିଶେଷ କଠିନ ପରିଶ୍ରମ କରିବା ସହ ଜୈବିକ ସାର ଦ୍ୱାରା ଅମଳ କରାଯାଉଥିବା ଖାଦ୍ୟ ଶସ୍ୟ ଖାଦ୍ୟ ରୂପେ ଗ୍ରହଣ କରିବା ସହ ଆଧ୍ୟାତ୍ମିକ ଚିନ୍ତାଧାରା ଓ ସାଧାରଣ ଜୀବନ ଜାପନ କରୁଥିଲେ। ଯଦ୍ୱାରା ନିରୋଗ ଭାବେ ଦୀର୍ଘ ଦିନ ବଞ୍ଚିରହୁଥିଲେ। ସାଧାରଣତଃ କୌଣସି ରୋଗ ନିମନ୍ତେ ବିଭିନ୍ନ ଆୟୁର୍ବେଦୀୟ ଜଡିବୁଟି ଔଷଧ ସେବନ କରି ସୁସ୍ଥ ହେଉଥୁଲେ।
ବର୍ତ୍ତମାନ ପରିସ୍ଥିତିରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ବ୍ୟାପକ କୀଟନାସକ ଔଷଧର ବ୍ୟବହାର,ପାଶ୍ଚାତ୍ୟ ଦେଶର ଖାଦ୍ୟ ଶୈଳୀ,ଅତ୍ୟଧିକ ଦୂଷିତ ତେଲ, ମସଲା ଯୁକ୍ତ ଖାଦ୍ୟ ସେବନ ସହ ଅତ୍ୟଧିକ ରାତି ଅନିଦ୍ରା,ସକାଳୁ ବିଳମ୍ବରେ ଉଠିବା ଆଦି ଶରୀରରେ “କର୍କଟ ରୋଗ” ର ସୃଷ୍ଟି ହେବା ଏକ ମାଧ୍ୟମ ଅଟେ।
ଏହି ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବର୍ତ୍ତମାନ ର ଯୁବପିଢ଼ି ଓ ଆଗାମୀ ପିଢ଼ି ପାଇଁ ଏହା ଏକ ଆହ୍ୱାନ ସୃଷ୍ଟି କରିଛି। “କର୍କଟ”ବା କ୍ୟାନସର ରୋଗକୁ ନିରାକରଣ ତଥା ପ୍ରତିରୋଧ ନିମନ୍ତେ ବ୍ୟକ୍ତିଗତ,ପାରିବାରିକ,ସାମାଜିକ ସ୍ତରରେ ସମସ୍ତେ ଏକଜୁଟ ହୋଇ ହାତକୁ ହାତ ମିଶାଇ ଶୃଙ୍ଖଳିତ ଜୀବନ ଶୈଳୀ,ସୁଷମ ଖାଦ୍ୟ ସେବନ ସହ ରୋଗ ଉତ୍ପାଦନ କାରି ମଦ,ଗୁଟଖା ଜାତୀୟ ଖାଦ୍ୟ ଠାରୁ ଦୁରେଇ ରହିବା ସହିତ ଜନସଚେତନା କରାଯିବାର ଆବଶ୍ୟକତା ରହିଛି।

ଠିକଣା – ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି, ଜିଲ୍ଲା – ନବରଙ୍ଗପୁର
ଫୋନ -୭୮୯୪୧୧୨୪୮୭

Comments (0)
Add Comment