ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପୁରୀରେ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ ।

ପୁରୀ ,୦୪/୦୭:ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପୁରୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ପରିସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ସୁରକ୍ଷା ଉପରେ ଏହି ବୈଠକରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।

ଏହି ରଥଯାତ୍ରାକୁ ଅଘଟଣ ମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରଥଯାତ୍ରା ଡ୍ୟୁଟି ପାଇଁ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀ, ଟ୍ରାଫିକ କନଷ୍ଟେବଳ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ସିଆରପିଏଫ ଏବଂ ବିଏସଫ ମୁତୟନ ରହି ସୁରକ୍ଷା ଦାୟିତ୍ୱ ତୁଲାଇବେ। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୫୦ ପ୍ଲାଟୁନ OSAP, IRBN, APR ଏବଂ ଟ୍ରାଫିକ ଫୋର୍ସ ମୁତୟନ କରାଯିବ। ସହରର ବିଭିନ୍ନ ସ୍ଥାନରେ ୩,୦୦୦ ହୋମଗାର୍ଡଙ୍କୁ ମୁତୟନ କରାଯାଇ ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ ଓ ପାର୍କିଂ ରେ ପୋଲିସକୁ ସହଯୋଗ କରିବେ ।

ବୈଠକରେ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ରଥ ଯାତ୍ରା ସମୟ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଯେଉଁ ପ୍ରତିକୂଳ ପରିବେଶ ସୃଷ୍ଟି ହେବ, ତା ପ୍ରତି ସଜାଗ ରହି ଆଗୁଆ ପଦକ୍ଷେପ ନେଇ ରଥ ଯାତ୍ରାକୁ ସୁସଂଗଠିତ କରିବାକୁ ପଡିବ। ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରୁଖୁରୁରେ ପୁରୀରେ ପହଞ୍ଚି, ଭଲରେ ମହାପ୍ରଭୁଙ୍କ ଦର୍ଶନ ସାରି ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରି ପାରିବେ, ତାହା ଉପରେ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ବାହାରୁ ଆସୁଥିବା ପୋଲିସ ଫୋର୍ସ ମାନଙ୍କ ରହଣି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଜନସାଧାରଣଙ୍କ ସହଯୋଗରେ ୨୦୨୬ ରଥଯାତ୍ରା ଅତ୍ୟନ୍ତ ସଫଳତାର ସହ ସମ୍ପାଦିତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଜନସାଧାରଣଙ୍କୁ ନିବେଦନ କରି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରଦ୍ଧାଳୁମାନେ ପୁରୀ ଅଭିମୁଖେ ବାହାରିବା ସମୟରେ ଓଡ଼ିଶା ପୋଲିସର ଅଫିସିଆଲ୍ ପୋର୍ଟାଲ୍ ଏବଂ ଟ୍ରାଫିକ ପରିଚାଳନା ପାଇଁ ସମୟ ସମୟରେ ଜାରି ହେଉଥିବା ବିଭିନ୍ନ ‘ଟ୍ରାଫିକ ଆଡଭାଇଜରୀ’ କୁ ଧ୍ୟାନ ଦେବା ଉଚିତ୍। ପୋର୍ଟାଲ ଜରିଆରେ ଦିଆଯାଉଥିବା ସମସ୍ତ ପରାମର୍ଶ ଓ ନିୟମକୁ ସଠିକ୍ ଭାବେ ପାଳନ କରି ଯାତ୍ରା କଲେ ଟ୍ରାଫିକ ସମସ୍ୟା ଏଡ଼ାଯାଇପାରିବ।

ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ)  ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (SAP)  ରାଜେଶ କୁମାର, ଆଇଜିପି (ଟ୍ରେନିଂ)  ଅନୁପ କୁମାର ସାହୁ, ନିର୍ଦ୍ଦେଶକ (ଏସସିଆରବି)  ଅବିନାଶ କୁମାର, ଆଇଜି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡଙ୍ଗୀ, ଆଇଜି (କେନ୍ଦ୍ରାଞ୍ଚଳ)  ସତ୍ୟଜିତ ନାୟକ, ଡିଆଇଜି (ଏସଟିଏଫ) ଡ଼ କନୱର ବିଶାଳ ସିଂ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (କାର୍ମିକ) ଯୁଗଳ କିଶୋର କୁମାର ବନୋଥ, ଡିଆଇଜି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧର, ଡିଆଇଜି ଆଶିଷ ସିଂହ, ଏସପି (ପୁରୀ)  ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହାସହ ଆଭାସୀ ମାଧ୍ୟମରେ ଆଇଜିପି (ଉତ୍ତର-କେନ୍ଦ୍ରାଞ୍ଚଳ) ସତ୍ୟବ୍ରତ ଭୋଇ, ଡିଆଇଜି (ପୂର୍ବାଞ୍ଚଳ)  ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।

Comments (0)
Add Comment